ହିମାଚଳ ପ୍ରଦେଶରେ ଟଳିଲା କଂଗ୍ରେସ ସରକାର ସଙ୍କଟ । ସକାଳ ଇସ୍ତଫା ପରେ ସନ୍ଧ୍ୟାରେ ପ୍ରତ୍ୟାହାର କରିନେଲେ ବିକ୍ରମାଦିତ୍ୟ ସିଂହ

252

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ଟଳିଲା ରାଜନୈତିକ ସଙ୍କଟ । ଆଜି ସକାଳେ ଇସ୍ତଫା ଦେଇଥିବା କ୍ୟାବିନେଟ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ କିଛି ସମୟ ତଳେ ତାଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ସେ କହିଛନ୍ତି, ହିମାଚଳ ସରକାର ଉପରେ କୌଣସି ବିପଦ ନାହିଁ । ସରକାର ସ୍ଥିର ଅଛି । ଗତକାଲି ବହୁମତ ଥିବା ସତ୍ୱେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହାରିବା ପରେ କଂଗ୍ରେସ ସରକାର ରହିବ ନା ଯିବ ସେ ନେଇ ସିମଳା ସହ ଦିଲ୍ଲୀରେ ରାଜନୀତି ସରଗରମ ହୋଇଥିଲା । ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ କ୍ୟାବିନେଟ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ । ୪୦ ବିଧାୟକ ଥିବା ସତ୍ୱେ ୬ ବିଧାୟକଙ୍କ କ୍ରସ ଭୋଟିଂ ଯୋଗୁଁ ସରକାର ଅସ୍ଥିର ହୋଇଥିଲା । ଦିଲ୍ଲୀରୁ ପର୍ଯ୍ୟବେକ୍ଷକ ଭାବେ ଯାଇଥିଲେ ଡି.କେ.ଶିବକୁମାର ଓ ଭୁପିନ୍ଦର ସିଂ ହୁଡ୍ଡା । ଏମାନଙ୍କୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ବିକ୍ରମାଦିତ୍ୟ ସିଂହ ଓ କିଛି ବିଧାୟକ ଭେଟିଥିଲେ । ହିମାଚଳ ପ୍ରଦେଶର ବିଧାନସଭା ଅନିର୍ଦ୍ଦିଷ୍ଟକାଳୀନ ପାଇଁ ମୁଲତବୀ ଘୋଷଣା ହୋଇଥିବାରୁ ସରକାର ଉପରେ ବିପଦ ୩ ମାସ ପାଇଁ ଟଳିଯାଇଛି । ବିଜେପିର କକ୍ଷତ୍ୟାଗ ମଧ୍ୟରେ ବିଧାନସଭାରେ ବଜେଟ ପାସ ହୋଇଛି । ସକାଳେ ବିଜେପିର ୧୫ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରାଯାଇଥିଲା । ବାକି ୧୦ ବିଧାୟକ କକ୍ଷତ୍ୟାଗ କରିଥିଲେ ।