ମାର୍ଚ୍ଚରୁ ଦେଶରେ ଲାଗୁ ହେବ ସିଏଏ! ଆବେଦନ ପାଇଁ ପୋର୍ଟାଲ ପ୍ରସ୍ତୁତ

152

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ ବଡ ରାଜନୈତିକ ପ୍ରସଙ୍ଗ ପାଲଟିଥିବା ନାଗରିକତା ସଂଶୋଧନ ଆଇନ ବା ସିଏଏ ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦେଶରେ ଲାଗୁ ହୋଇପାରେ । ନାଗରିକତା ସଂଶୋଧନ ଆଇନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନରେ ହିଁ କରାଯିବ । ତେଣୁ ଆବେଦନ ପାଇଁ ଅନଲାଇନ ପୋର୍ଟାଲ ପ୍ରସ୍ତୁତ ହୋଇସାରିଛି ।

ନିକଟରେ ଗୃହମନ୍ତ୍ରୀ ଅମିତ ଶାହା ଖୁବଶିଘ୍ର ଦେଶରେ ସିଏଏ ଲାଗୁ ହେବା ନେଇ ଘୋଷଣା କରିଥିଲେ ଶାହା ।

ମାର୍ଚ୍ଚରୁ ଦେଶରେ ଲାଗୁ ହେବ ସିଏଏ!
-ସିଏଏ ଅଧୀନରେ ଆଫଗାନିସ୍ତାନ, ପାକିସ୍ତାନ, ବାଙ୍ଗଲାଦେଶରୁ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତ ଆସିଥିବା ୬ ଅଳ୍ପସଂଖ୍ୟକଙ୍କୁ ଭାରତର ନାଗରିକତା ଦିଆଯିବ
-ଆବେଦନ ପାଇଁ କୌଣସି ଦସ୍ତାବିଜର ଆବଶ୍ୟକତା ନାହିଁ
-ଆବେଦନକାରୀ କେବଳ ଭାରତକୁ ଆସିଥିବା ବର୍ଷ ନେଇ ତଥ୍ୟ ଦେବେ
-ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଙ୍ଗଲାଦେଶର ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତରେ ଅନେକ ଅଳ୍ପସଂଖ୍ୟକ ଶରଣାର୍ଥୀ ଜୀବନ କାଟୁଛନ୍ତି
-ଏମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଏହି ଆଇନର ମୂଳ ଲକ୍ଷ୍ୟ

୨୦୧୯ ଶୀତ ଅଧିବେଶନରେ ସଂସଦରେ ସିଏଏ ଆଇନ ଗୃହୀତ ହେବା ପରେ ଏହାକୁ ବିରୋଧ କରାଯାଇଥିଲା । ସରକାର ମୁସଲିମ ସମ୍ପ୍ରଦାୟଙ୍କ ବ୍ୟତିତ ଭାରତରେ ଥିବା ଶରଣାର୍ଥୀ ଜୀବନ କାଟୁଥିବା ସବୁ ଧର୍ମର ଲୋକଙ୍କୁ ନାଗରିକତା ପ୍ରଦାନ କରିବାକୁ ନାଗରିକତା ସଂଶୋଧନ ଆଇନ ଆଣଥିଲେ । ୨୦୧୯ରେ ସିଏଏ ସଂସଦରେ ପାରିତ ହୋଇ ସାରିଥିବା ବେଳେ ଆଗାମୀ ନିର୍ବାଚନ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

ସିଏଏ ବିରୋଧରେ ଦିଲ୍ଲୀ ସହ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ମଧ୍ୟ କାରାଯାଇଥିଲା । ବିରୋଧ ପ୍ରଦର୍ଶନକୁ ଦେଖି ସରକାର ଏହାକୁ ଲାଗୁ କରିବା ପାଇଁ ଅଧିକ ଯତ୍ନବାନ ହୋଇଥିଲେ । ୪ବର୍ଷର ଅପେକ୍ଷା ପରେ ସରକାର ଦେଶରେ ଆଇନ ଲାଗୁ କରିବା ଦିଗରେ ଅଧିକ ତତ୍ପର ହୋଇପଡିଛନ୍ତି । ଅନ୍ୟପଟେ ମୁସଲିମ ସମ୍ପ୍ରଦାୟଙ୍କୁ ଏହି ଆଇନରେ କାହିଁକି ରଖାଯାଇନି ବୋଲି ବିରୋଧୀ ସରକାରଙ୍କୁ ବାରମ୍ବାର ଜବାବ ମାଗୁଛନ୍ତି ।