ଭିଜିଲାନ୍ସ ଚଢ଼ାଉ ବେଳେ ସାମନାକୁ ଆସିଲା ସାଂଘାତିକ ତଥ୍ୟ । କ୍ରିପ୍ଟୋକରେନ୍ସିରେ ଚୋରିଧନ ନିବେଶ କରାଯାଇଥିବା ସୂଚନା ।

ଆରଡବ୍ଲ୍ୟଏସଏସ ଆଡିସିନାଲ ଚିଫ୍ ଇଞ୍ଜିନିୟରଙ୍କ ୬ଟି ଠିକଣାରେ ଭିଜିଲାନ୍ସ ରେଡ

123

କନକ ବ୍ୟୁରୋ: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଅ୍ଧମ ଜଣେ ଅଧିକାରୀଙ୍କ ଘରେ ଭିଜିଲାନ୍ସ । ଆରଡବ୍ଲ୍ୟୁଏସଏସର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଚଢ଼ାଉ ବେଳେ ତାଙ୍କର କ୍ରିପ୍ଟୋ କରେନ୍ସି ଲିଙ୍କ୍ ସାମ୍ନାକୁ ଆସିଛି । କ୍ରିପ୍ଟୋ କରେନ୍ସି ସମ୍ବନ୍ଧିତ ତଥ୍ୟ ନଷ୍ଟ କରିବାକୁ ସେ ଉଦ୍ୟମ କରୁଥିବା ବେଳେ ଭିଜିଲାନ୍ସ କିଛି କାଗଜପତ୍ର ଜବତ କରିଛି । ଆଉ କୋଟି କୋଟି ଟଙ୍କାର ସମ୍ପତି ମଧ୍ୟ ଭିଜିଲାନ୍ସ ହାତରେ ଲାଗିଛି ।

  • ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ
  • ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ । ଭିଜିଲାନ୍ସ ନିହାରଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି । ନିହାରଙ୍କ ନାଁରେ ଏକାଧିକ ଜାଗା ରହିଥିବା ଜଣାପଡ଼ିଛି । ଚଢ଼ାଉ ବେଳେ ଭିଜିଲାନ୍ସ ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ, ପୁଳା ପୁଳା ସୁନା ଗହଣା, କିଛି ପୁରୁଣା ୫୦୦ ଟଙ୍କିଆ ନୋଟ୍ ଜବତ କରିଛି । ଏହାସହ ଲକ୍ଷାଧିକ ଟଙ୍କାର ଘରବାଡ଼ି ମଧ୍ୟ ଜବତ କରିଛି ଭିଜିଲାନ୍ସ । ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି ।

ବଡ଼ କଥା ହେଲା, ଆଉ କିଛି ଦିନ ପରେ ଅବସର ନେଇଥାନ୍ତେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସ । କିନ୍ତୁ ଠିକ୍ ପୂର୍ବରୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଏହି ସରକାରୀ ବାବୁ । ଆଉ ଏହି ଚଢ଼ାଉ ବେଳେ କ୍ରିପ୍ଟୋ କରେନ୍ସି ଲିଙ୍କ ମଧ୍ୟ ସାମ୍ନାକୁ ଆସିଛି ।

  • ସାମ୍ନାକୁ ଆସିଲା କ୍ରିପ୍ଟୋ କରେନ୍ସି ଲିଙ୍କ୍
  • ଭିଜିଲାନ୍ସ ହାତରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ଚଢ଼ାଉ ବେଳେ ମୁଖ୍ୟଯନ୍ତ୍ରୀଙ୍କର କ୍ରିପ୍ଟୋ କରେନ୍ସ ଲିଙ୍କ ସାମ୍ନାକୁ ଆସିଛି । ଅର୍ଥାତ୍ ଯନ୍ତ୍ରୀ ନିହାର ରଞ୍ଜନ ଦାସ କ୍ରିପ୍ଟୋ କରେନ୍ସିରେ ଅର୍ଥ ଲଗାଇଥିବା ଜଣାପଡ଼ିଛି । କ୍ରିପ୍ଟୋ କରେନ୍ସି ସମ୍ବନ୍ଧିତ ତଥ୍ୟ ନଷ୍ଟ ପାଇଁ ଉଦ୍ୟମ କରି ଏ ସମ୍ପର୍କିତ କାଗଜପତ୍ର ଓ ମୋବାଇଲ ଫୋପାଡ଼ି ଦେଇଥିଲେ ଯନ୍ତ୍ରୀ । ଯାହାକୁ ଜବତ କରିଛି ଭିଜିଲାନ୍ସ । ନିହାର କ୍ରିପ୍ଟୋ କାରବାର କରୁଥିବା ନେଇ ୩୮ଟି କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି । ନିହାର ଏକ ମୋବାଇଲ ଫୋନ୍ ଯୋଗେ ଏହି ସନ୍ଦିଗ୍ଧ କ୍ରିପ୍ଟୋ କରେନ୍ସି ସମ୍ବନ୍ଧିତ କାଗଜପତ୍ର ନଷ୍ଟ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ନଗଦ ୧ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି । ଏହାସହ ଦୁଇଟି ଚାରିଚକିଆ କାର ଏବଂ ଦୁଇଟି ଦୁଇ ଚକିଆ ଗାଡ଼ି ମଧ୍ୟ ଜବତ କରିଛି ଭିଜିଲାନ୍ସ ।

କ୍ରିପ୍ଟୋ କରେନ୍ସି କ’ଣ?

  • କ୍ରିପ୍ଟୋ କରେନ୍ସିକୁ ଡିଜିଟାଲ କରେନ୍ସି ମଧ୍ୟ କୁହାଯାଏ
  • ଅନଲାଇନରେ କାରବାର ପାଇଁ ଏହାର ବ୍ୟବହାର କରାଯାଏ
  • କ୍ରିପ୍ଟୋ କରେନ୍ସି ବିଟକଏନରୁ ଆରମ୍ଭ ହୋଇଥିବା କୁହାଯାଏ
  • ଏହାକୁ ବ୍ଲକଚେନ୍ ପଦ୍ଧତିରେ ବ୍ୟବହାର କରାଯାଇଥାଏ
  • ସରକାରୀ ନିୟନ୍ତ୍ରଣ ରହୁନଥିବାରୁ କଳାଧନ କାରବାର ପାଇଁ ସୁବିଧା

ନିହାରଙ୍କ ଖୋର୍ଦ୍ଧା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୧୧ ଜଣ ଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ନିୟୋଜିତ ହୋଇଥିଲେ ।