ଓଡ଼ିଶାରେ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ , ରାଜଭବନରେ ରାତ୍ରିଯାପନ

142

କନକ ବ୍ୟୁରୋ : ଓଡ଼ିଶାରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁନେଶ୍ୱରରେ ପହଂଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ପହଂଚିଛନ୍ତି । ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ କର୍ମକର୍ତାଙ୍କ ସହ ସମୀକ୍ଷା ବୈଠକରେ ସାମିଲ ହୋଇଛନ୍ତି । ବୈଠକ ପରେ ଆଜି ରାଜଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ସକାଳୁ ପୁରୀ ଅଭିମୁଖେ ବାହାରିବେ ନରେନ୍ଦ୍ର ମୋଦୀ । ଶ୍ରୀକ୍ଷେତ୍ର ଠାକୁର ଦର୍ଶନ କରିବା ପରେ ସକାଳ ୮ଟାରେ ଏକ ବିଶାଳ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ରାତି ପାହିଲେ ଦେଶର ପଂଚମ ପର୍ଯ୍ୟାୟ ଓ ଓଡିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । ଏହି ପର୍ଯ୍ୟାୟରେ ମୋଟ ୪୯ଟି ଲୋକସଭା ଆସନରେ ଭୋଟ ହେବ । ଯେଉଁ ଆସନ ଭିତରେ ରହିଛି ଓଡିଶାର ୫ଟି ଲୋକସଭା ଆସନ, ଉତରପ୍ରଦେଶର ୧୪ଟି ଲୋକସଭା ଆସନ । କିନ୍ତୁ ଉତରପ୍ରଦେଶ ବଦଳରେ ଶ୍ରୀକ୍ଷେତ୍ରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ରାତି ପାହିଲେ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ପରେ ବଡଦାଣ୍ଡରେ ବିଶାଳ ରୋଡସୋ କରିବେ । ମରିଚିକୋଟ ଛକରୁ ମେଡିକାଲ ଛକ ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ରୋଡସୋ କରିବେ ପ୍ରଧାନମନ୍ତ୍ରୀ । ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରୋଡସୋରୁ ଅପିଲରୁ କରିବେ ପ୍ରଧାନମନ୍ତ୍ରୀ ।

ନିର୍ବାଚନ ଦିନରେ ପ୍ରଧାନମନ୍ତ୍ରୀ ରୋଡସୋ କରିବା ନୂଆ କଥା ନୁହେଁ । ଗୋଟିଏ ଅଂଚଳରେ ଭୋଟ ହେଉଥିବାବେଳେ ଆଉ ଗୋଟିଏ ସ୍ଥାନରେ ପ୍ରଧାନମନ୍ତ୍ରୀ ରୋଡସୋ କିମ୍ବା ବିଶାଳ ଜନସଭା କରିଥାନ୍ତି । କିନ୍ତୁ ପୂର୍ବରୁ ନିର୍ବାଚନ ଦିନରେ ଓଡିଶାରେ ପ୍ରଧାନମନ୍ତ୍ରୀ ପ୍ରଚାର କରିବା ଦେଖିବାକୁ ମିଳିନଥିଲା । ହେଲେ, ଏଥର ନୂଆ ରଣନୀତି ସହ ଓଡିଶା ସମେତ ହିନ୍ଦୁଙ୍କ ପ୍ରାଣକେନ୍ଦ୍ର କୁହାଯାଉଥିବା ଶ୍ରୀକ୍ଷେତ୍ର ପୁରୀରେ ପ୍ରଚାର କରିବେ ମୋଦୀ । ଯାହା ଓଡିଶା ସମେତ ସାରା ଦେଶର ଗଣମାଧ୍ୟମରେ ପ୍ରସାରିତ ହେବ । ଯାହାକି ଏକ ବଡ ବର୍ଗ ଭୋଟରଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ।

ଧାର୍ମିକ ଦୃଷ୍ଟିକୋଣରୁ ପୁରୀର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ଚାରିଧାମ ଭିତରେ ପୁରୀ ଅନ୍ୟତମ । ସେଥିପାଇଁ ପୁରୀରେ ରୋଡସୋ କରିବା ପାଇଁ ପ୍ରଧାନମନ୍ତ୍ରୀ ବାଛି ଥାଇପାରନ୍ତି ବୋଲି କୁହାଯାଉଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୁରୀ ପ୍ରଶାସନ ।

ପୁରୀରେ ରୋଡ ସୋ କରିବା ପରେ କଟକ ଓ ଅନୁଗୁଳରେ ଜନସମାବେଶ କରିବାର କାର୍ଯ୍ୟକ୍ରମ ରହିଛି । ଯାହା ରାଜ୍ୟ ବିଜେପି ପାଇଁ ବୁଷ୍ଟର ଡୋଜ ହୋଇପାରେ ବୋଲି କୁହାଯାଉଛି ।