ଥମୁନି ସୂର୍ଯ୍ୟପରାଗରେ ଚିକେନ୍ ବିରିୟାନି ଖାଇବା ବିବାଦ: ହେତୁବାଦୀଙ୍କ ବିରୋଧରେ ଦାୟର ହେଲା ମାମଲା

111

କନକ ବ୍ୟୁରୋ: ସୂର୍ଯ୍ୟପରାଗରେ ଚିକେନ ବିରିୟାନି ଖାଇବାକୁ ନେଇ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । ଏ ନେଇ ଓଡିଶା ବ୍ରାହ୍ମଣ ସମାଜ ଓ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପୁରୀ ସିଂହଦ୍ୱାର ଓ ଟାଉନ ଥାନାରେ ଏତଲା ଦେଇଥିଲେ । ଏତଲା ଅଧାରରେ ମାମଲା ରୁଜୁ କରିଛି ପୁଲିସ । ଦୁଇ ଜଣେ ହେତୁବାଦୀ ଦେବେନ୍ଦ୍ର ସୁତାର ଓ ପ୍ରତାପ ରଥଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସପି । ସେ କହିଛନ୍ତି, ଏକ ସପ୍ତାହ ମଧ୍ୟରେ ଉଭୟ ଦେବେନ୍ଦ୍ର ସୁତାର ଓ ପ୍ରତାପ ରଥଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍ ଜାରି କରାଯିବା ସହ ସେମାନଙ୍କ ବୟାନ ରେକର୍ଡ କରାଯିବ ।

ଅନ୍ୟପଟେ ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ ନୋଟିସ୍ ଦେଇଛନ୍ତି ଆଇନଜୀବୀ ସନ୍ଦୀପନ ମିଶ୍ର । ହିନ୍ଦୁ ଧର୍ମକୁ ଅସମ୍ମାନ କଲା ଭଳି ଆପତିଜନକ ମନ୍ତବ୍ୟ ଦେଇଥିବାରୁ ନିସର୍ତ କ୍ଷମା ପ୍ରାର୍ଥନା କରିବାକୁ କୁହାଯାଇଛି । କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆନଯିବ, ୭ ଦିନ ଭିତରେ ଉତର ନରଖିଲେ ହାଇକୋର୍ଟରେ ମାମଲା ରୁଜୁ କରାଯିବ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି । ତେବେ ଏ ନେଇ ପ୍ରତାପ ରଥଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସୂର୍ଯ୍ୟପରାଗରେ ହାଣ୍ଡିଛାଡ଼ ଓ ପାକ ନିଷେଧ ନେଇ ଧାର୍ମିକ ପରମ୍ପରା ବେଳେ ହେତୁବାଦୀମାନେ ଏହାର ବିରୋଧ କରିଥିଲେ । ଚିକେନ୍ ବିରିୟାନି ଖାଇବା ସହ ଯୁକ୍ତି ବାଢ଼ିଥିଲେ ଯେ ଏହା ଏକ କୁସଂସ୍କାର, ଏଥିରେ କୌଣସି ବିଜ୍ଞାନ ସମ୍ମତ କାରଣ ନାହିଁ । ଏହା ହିଁ ବିବାଦ ସୃଷ୍ଟି କରିଛି । ହେତୁବାଦୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେବା ସହ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସମାଲୋଚନା କରିଛନ୍ତି । ହିନ୍ଦୁ ଧର୍ମ ପ୍ରତି ଏହା କୁଠାରଘାତ ବୋଲି ଅଭିଯୋଗ କରିଛନ୍ତି । ସେପଟେ ଫୋନରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଥାନାରେ ଏଫଆଇଆର ଦେଇଛନ୍ତି ହେତୁବାଦୀ ଦେବେନ୍ଦ୍ର ସୂତାର ।

ବିବାଦ ଆଗକୁ ବଢୁଥିବା ବେଳେ ନଭେମ୍ବର ମାସରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଦିନ ପୁଣି ଚିକେନ ବିରିୟାନି ଖାଇବେ ବୋଲି ହେତୁବାଦୀମାନେ କହିଛନ୍ତି । ଯାହକୁ ନେଇ ଜଟିଳ ହେବାରେ ଲାଗିଛି ପ୍ରସଙ୍ଗ ।