ଗାଜାର ଲାଇଫଲାଇନ ରାଫା ଉପରେ ଇସ୍ରାଏଲର କବଜା । ମାନବୀୟ ସହାୟତା ନପହଁଚିଲେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

109

କନକ ବ୍ୟୁରୋ : ପୁଣି ଘନେଇଲାଣି ଇସ୍ରାଏଲ- ପାଲେଷ୍ଟାଇନ୍ ଯୁଦ୍ଧ । ଗାଜାର ରାଫା ସହର ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିବା ସହ ଏହାକୁ କବଜା କରିଛି ଇସ୍ରାଏଲ ସେନା । ରାଫା ଏକମାତ୍ର ବାଟ ଥିଲା ଯାହାକୁ ଅତିକ୍ରମ କରି ମାନବୀୟ ସହାୟତା ପହଁଚୁଥିଲା । ଗୋଟେ ପଟେ ଯୁଦ୍ଧରେ ଅନେକ ନିରୀହଙ୍କ ଜୀବନ ଯାଉଛି ଅନ୍ୟପଟେ ମାନବୀୟ ସହାୟତା ବନ୍ଦ ହେଲେ ଆଗକୁ ସ୍ଥିତି ଅଧିକ ସଂଗୀନ ହେବା ଆଶଙ୍କା ଉପୁଜିଛି ।

ବୁଧବାରଠୁ ଜନଗହଳିପୂର୍ଣ୍ଣ ରାଫାରେ ଇସ୍ରାଏଲ ସେନା ପ୍ରବେଶ କରିବା ସହ ଆକାଶମାର୍ଗରୁ ବି ଏୟାରଷ୍ଟ୍ରାଇକ୍ କରିଛି । ରାଫାରେ ଆକ୍ରମଣକୁ ନେଇ ଆମେରିକା ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଯଦି ଇସ୍ରାଏଲ ରାଫାରେ ଆକ୍ରମଣ କରିବା ବନ୍ଦ ନକରେ, ତାହାଲେ ତାକୁ ଅସ୍ତ୍ରଶସ୍ତ୍ର ସହାୟତା ପଠାଇବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତାନ୍ୟାହୁଙ୍କୁ କିଛି ଏଭଳି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରାଫା ସହର । ଗାଜା ଓ ଇଜିପ୍ଟର ସୀମାବର୍ତୀ ଅଂଚଳ । ଗାଜା ଉପରେ ଆକ୍ରମଣ ବେଳେ ଅଧିକାଂଶ ପାଲେଷ୍ଟାଇନ୍ ନାଗରିକ ରାଫା ସୀମା ଦେଇ ଇଜିପ୍ଟ ଚାଲିଯିବାକୁ ପ୍ରୟାସ କରୁଛନ୍ତି ।

ରାଫାରେ ଏବେ ଗାଜାର ସର୍ବାଧିକ ନାଗରିକ ରହୁଛନ୍ତି । ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ ସ୍ଥିତି ପୁଣି ଘନେଇଛି । ଗୋଟିଏ ପଟେ ଇସ୍ରାଏଲ ସହ ବୁଝାମଣା ପାଇଁ ଆଉ ଅଧିକ ନମନୀୟ ହୋଇପାରିବ ନାହିଁ ବୋଲି ହମାସ ସ୍ପଷ୍ଟ କରିଥିବାବେଳେ ଦକ୍ଷିଣ ରାଫା ଉପରେ ନିର୍ଣ୍ଣାୟକ ଆରମ୍ଭ କରିଛି ଇସ୍ରାଏଲ । ବୁଧବାରଠାରୁ ଦକ୍ଷିଣ ରାଫା ସହର ଉପରେ ଟ୍ୟାଙ୍କ ଓ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଛି ।