କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭିକେ ପାଣ୍ଡିଆନଙ୍କ ଆହ୍ୱାନ: କହିଲେ, ୯ ତାରିଖରେ ଯଦି ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନନେଇ ପାରିଲେ ମୁଁ ନେବି ରାଜନୀତିରୁ ସନ୍ୟାସ, ହେଲେ କେନ୍ଦ୍ରମନ୍ତ୍ରୀ…

5,232

କନକ ବ୍ୟୁରୋ: ଆଜି ବ୍ରଜରାଜନଗରରେ ପ୍ରଚାର ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍ । ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କହିଛନ୍ତି, ମୁଁ ଆଜି ଏ ବ୍ରଜରାଜନଗର ମାଟିରୁ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଉଛି ଆପଣଙ୍କର ଯଦି ସାହାସ ଅଛି ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ ଦେଖିବା ଆପଣ କେତେ ସିଟ୍ ପାଉଛନ୍ତି । ଆପଣଙ୍କ ନିଜ ଦଳ ଆପଣଙ୍କ ଉପରେ ବିଶ୍ୱାସ କରୁନାହିଁ । ଲୋକମାନେ କେମିତି ଆପଣଙ୍କୁ ବିଶ୍ୱାସ କରିବେ । ମୋର ଚ୍ୟାଲେଞ୍ଜ ଆପଣଙ୍କୁ ଆମ ମୁଖ୍ୟମନ୍ତ୍ରୀ ଜୁନ ୯ରେ ୧୧.୩୦ରୁ ୧ ଭିତରେ ଶପଥ ଗ୍ରହଣ କରିବେ ଆଉ ପୁଣି ମୁଖ୍ୟମନ୍ତ୍ରୀ ହେବେ । ଯଦି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନହେଇପାରିଲେ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି । ଆପଣ ବି କୁହନ୍ତୁ ଆପଣଙ୍କ ସରକାର ଆସିବ ନହେଲେ ଆପଣ ସନ୍ୟାସ ନେବେ । ଆଜି ଫଇସଲା କରିବା । ଗୋଟେ ଏନଏଚ ଠିକ କରିପାରିଲେନି, ଗୋଟେ ପଞ୍ଚାୟତ ଜିତି ପାରିଲେନି, ୱାର୍ଡ ମେମ୍ବର ବି ଜିତି ପାରିଲେନି । ଡରିକି ଢେଙ୍କାନାଳରୁ ସମ୍ବଲପୁର ଆସିଗଲେ । ଆପଣଙ୍କର ସାହାସ କେମିତି ହେଲା ମୁଖ୍ୟମନ୍ତ୍ରୀଙ୍କୁ ଆଶାଳୀନ ଭାଷାରେ କଥା କହିବାକୁ ।

ବ୍ରଜରାଜନଗରରେ ଭିକେ ପାଣ୍ଡିଆନ ଆଜି ପ୍ରଚାର କରିଛନ୍ତି । ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । ପାଣ୍ଡିଆନ କହିଛନ୍ତି, ଗତଥର ମୁଁ ଆପଣଙ୍କ ପାଖରୁ ଦରଖାସ୍ତ ପାଇଥିଲି, ତାର ହିସାବ ଦେବାକୁ ଆସିଛି । ଆପଣମାନେ ଯାହାକୁ ଗତଥର ସାଂସଦ ଭାବେ ବାଛିଥିଲେ ସେ ଆପଣଙ୍କୁ ଭୁଲିଗଲେ । ଏବେ ସେ ଆପଣଙ୍କ ଅଞ୍ଚଳରେ ବିଧାୟକ ପ୍ରାର୍ଥୀ ଭାବେ ଆପଣ ତାଙ୍କୁ ଉଚିତ ଜବାବ ଦେବେ । ଆପଣମାନଙ୍କ ସବୁଠାରୁ ବଡଜ ଦାବି ଥିଲା ହିରାକୁଦ ଡ୍ୟାମର ପଟ୍ଟା ପାଇବାକୁ । ମୁଁ ଆପଣଙ୍କୁ କଥା ଦେଇଥିଲି ଆଉ ସମସ୍ୟାର ସମାଧାନ ହେଲା । ଏଇଟା ହେଉଛି ନବୀନ ଇଞ୍ଜିନର ସରକାର ।

ପାଣ୍ଡିଆନ ଆହୁରି କହିଛନ୍ତି, ରାମଚଣ୍ଡୀ ମନ୍ଦିର ପାଇଁ ୪ କୋଟି ୫୦ ଲକ୍ଷ, ପଲ୍ଲୀ ଗୁଜରକୁ ଇକୋ ଟୁରିଜିମ ପାଇଁ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଆପଣଙ୍କ ଆଉ ଗୋଟେ ଦାବି ଥିଲା ଲକ୍ଷଣ ପୁରରେ ନୂଆ ଆଇଟିଆଇ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଏଥିପାଇଁ ୩୦ କୋଟି ମଞ୍ଜୁର କରିଛନ୍ତି । ବ୍ରଜରାଜନଗରରେ ଅଡିଟୋରିୟମ କରିବା ପାଇଁ ଯୁବକମାନେ ଦାବି କରିଥିଲେ ଏଥିପାଇଁ ୯ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଲଖଣପୁରରେ ପିଇବା ପାଣି ଘରେ ଘରେ ପହଞ୍ଚିବା ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ପାଣ୍ଡିଆନ କହିଥିଲେ, ଏଇଟା ଆପଣମାନଙ୍କର ସରକାର ଆମେ ଆପଣଙ୍କୁ ହିସାବ ଦେବୁ, ଉତ୍ତର ଦେବୁ । ଏମିତି କେହି ଆପଣଙ୍କୁ କେବେ ହିସାବ ଦେଇଛନ୍ତି କି? କେହିବି ଦେବେନି । ଭୋଟ ବେଳେ ଆସିବେ ମିଠା ମିଠା କଥା କହିବେ, ଭୂଆଁ ବୁଲାଇବେ । ନିର୍ବାଚନ ସରିଲେ ଆଉ ଦେଖା ଦେବେନି । ସମ୍ବଲପୁରରେ ଜଣେ କେନ୍ଦ୍ରମନ୍ତ୍ରୀ ଛିଡା ହୋଇଛନ୍ତି । ଆପଣ ଜାଣିଥିବେ ୧୦ ବର୍ଷ ହେବ ସେ ଚାହୁଁଥିଲେ ଢେଙ୍କାନାଳରୁ ଛିଡା ହେବାକୁ । ସେଠାରେ ବୁଲିଲେ କିଛି କାମ କଲେନି । ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ତାଙ୍କୁ ଡର ଲାଗିଲା । ସେ ବଡ ବଡ କଥା କୁହନ୍ତି କିଛି କାମ କରନ୍ତି ଢେଙ୍କାନାଳ ଲୋକ ଜାଣିଗଲେ । ଏବେ ସମ୍ବଲପୁର ଆସି ନୂଆ ଜାଗାରେ ନୂଆ ନୂଆ କଥା କହୁଛନ୍ତି ଆମ ମୁଖ୍ୟମନ୍ତ୍ରୀଙ୍କୁ ଆଶାଳୀନ କଥା କହୁଛନ୍ତି ।