ଖୋଲିଲା କେଦାରନାଥଙ୍କ କବାଟ । ପ୍ରଥମ ଦିନରେ ଭକ୍ତଙ୍କ ସମାଗନ, ଦର୍ଶନ କଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ

78

କନକ ବ୍ୟୁରୋ : ଅକ୍ଷୟ ତୃତୀୟା ଦିନରୁ ପ୍ରତିକ୍ଷିତ ଚାରିଧାମ ଯାତ୍ରା ଆରମ୍ଭ ହେବା ସହ ଭକ୍ତଙ୍କ ପାଇଁ ଖୋଲଛି ଉତର ଭାରତର ଅନ୍ୟତମ ଜ୍ୟୋର୍ତିଲିଙ୍ଗ ଉତରାଖଣ୍ଡର ବାବା କେଦାରନାଥଙ୍କ ମନ୍ଦିର   । ବେଦ, ମନ୍ତ୍ର ଉଚ୍ଚାରଣ, ବେଦପାଠ ଓ ବିଧି ବିଧାନ ଅନୁଯାୟୀ ସକାଳ ୭ଟାରୁ ବାବା କେଦାରନାଥଙ୍କ ପହୁଡ଼ ଫିଟିଛି । ମନ୍ଦିର ପରିସରକୁ ୪୦ କ୍ୱିଂଟାଲ ଫୁଲରେ ସଜା ଯାଇଥିବା ବେଳେ ହେଲିକପ୍ଟର ମାଧ୍ୟମରେ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଛି । ଦେଶ ବିଦେଶରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ କେଦାରନାଥ ଧାମରେ ପହଁଚି ବାବାଙ୍କ ଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ଭକ୍ତିମୟ ପରିବେଶରେ ଭରିଉଡିଛି ପୂରା ଅଂଚଳ ।

ବାବା କେଦାରନାଥଙ୍କୁ ଦର୍ଶନ କରିଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଚାରିଧାମ ଯାତ୍ରାରେ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଛନ୍ତି । ଚଳିତ ବର୍ଷ ଚାରିଧାମ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସ୍ଥା ପଥରେ ଶ୍ରଦ୍ଧାଳୁଙ୍କ ବିଶ୍ରାମ ପାଇଁ ବେଂଚ ତିଆରି କରାଯାଇଥିବା ବେଳେ ବର୍ଷା ଓ ତୁଷାରପାତକୁ ଦୃଷ୍ଟିରେ ରଖାଯାଇ ସ୍ୱତନ୍ତ୍ର ଅସ୍ଥାୟୀ ଛାତ ମଧ୍ୟ ପ୍ରସ୍ତୁତ କରାଯାଇଛି । ୨୨ଲକ୍ଷରୁ ଉଦ୍ଧ୍ୱର୍ ଯାତ୍ରୀ ଏଯାଏ ଚାରିଧାମ ଯାତ୍ରା ପାଇଁ ପଂଜୀକରଣ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଯମୁନୋତ୍ରୀ ଓ ଗଙ୍ଗୋତ୍ରୀ ଧାମ ମଧ୍ୟ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି, ମେ’ ୧୨ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ ବଦ୍ରିନାଥ ଧାମ ।