ପୁଣି ଚର୍ଚ୍ଚାରେ ୟୁପିର ଲଖିମପୁର ଖେରୀ । ୨ ଭଉଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

112

କନକ ବ୍ୟୁରୋ : ଉତରପ୍ରଦେଶର ଲଖିମପୁର ଖେରୀ ଅଂଚଳରୁ ପୁଣି ଏକ ଛାତିଥରା ଘଟଣା ସାମନାକୁ ଆସିଛି । ଆଖୁ ବାଡିରେ ଦୁଷ୍କର୍ମ ପରେ ହତ୍ୟା ଆଉ ତା’ପରେ ପ୍ରମାଣ ନଷ୍ଟ କରିବାକୁ ଗଛରେ ଦୁଇ ଭଉଣୀଙ୍କୁ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ୨ ଭଉଣୀଙ୍କ ବୟସ ୧୫ ଓ ୧୭ ବର୍ଷ । ବୁଧବାର ସନ୍ଧ୍ୟା ସମୟରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡରେ ୬ ଦୁର୍ବତ ସାମିଲ ରହିଥିବା ଜଣାପଡିଛି । ଏହି ଘଟଣାରେ ସମସ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିିଛି । ଏମାନଙ୍କ ମଧ୍ୟରେ ଜଣଙ୍କୁ ଧରିବା ପାଇଁ ପୋଲିସକୁ ଗୁରୁବାର ସକାଳେ ଗୁଳି ଚଳାଇବାକୁ ପଡିଥିଲା ।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁସାରେ ୨ ଭଉଣୀ ବିବାହ ପାଇଁ କହିବା ପରେ ତାଙ୍କୁ ହତ୍ୟା କରାଯାଇଛି । ସେହିପରି ୨ ଭଉଣୀ ନିଜ ଇଚ୍ଛାରେ ଯୁବକଙ୍କ ସହ ବାଇକରେ ଯାଇଥିବା କହିଛି ପୋଲିସ୍ । ଅନ୍ୟପଟେ ମୃତ ୨ ନାବାଳିକାଙ୍କ ମାଆ କହିଛନ୍ତି ବୁଧବାର ୩ ଜଣ ଯୁବକ ତାଙ୍କ ଝିଅଙ୍କୁ ଉଠାଇ ନେଇ ଯାଇଥିଲେ । ୨ ନାବାଳିକାଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରାଇଛି । ଏହି ମାମଲାରେ ଯୋଗୀ ସରକାରକୁ ଘେରିଛନ୍ତି ବିରୋଧୀ । ଲଖିମପୁରରେ ଚାଷୀଙ୍କ ହତ୍ୟା ପରେ ଏବେ ୨ ଦଳିତ ନାବାଳିକାଙ୍କ ହତ୍ୟା ହାତରସ ହତ୍ୟାକାଣ୍ଡର ପୁନରାବୃର୍ତି ବୋଲି ସମାଜବାଦୀ ପାର୍ଟି ନେତା ନେତା ଅଖିଳେଶ ଯାଦବ କହିଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଟେଲିଭିଜନ ଓ ଖବରକାଗଜରେ ଦୈନିକ ମିଛ ବିଜ୍ଞାପନ ଦେଲେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ହୁଏ ନାହିିଁ ।

ୟୁପିରେ ଯୋଗୀ ସରକାର ଆସିବା ପରେ ଆଇନ ଶୃଙ୍ଖଳା ସୁଧୁରିଥିବା କୁହାଯାଉଛି । କିନ୍ତୁ ଲେଖିମପୁର ଖେରୀରେ ଚାଷୀଙ୍କୁ ହତ୍ୟା, ହାଥରସ ହତ୍ୟାକାଣ୍ଡ ଆଉ ଏବେର ଏହି ଘଟଣା ସରକାରଙ୍କ ଉପରେ ପ୍ରଶ୍ନ ଛିଡା କରିଛି ।