ସତ୍ୟାନନ୍ଦ ଯୋଗ ବିଦ୍ୟାଳୟରେ ଯୋଗ ଶିବିର । ବୌଦ୍ଧିକ ଓ ଶାରୀରିକ ବିକାଶ ପାଇଁ ଗୀତାପାଠ ସହ ଶିଶୁଙ୍କୁ ଯୋଗ ଶିକ୍ଷା ଉପରେ ଗୁରୁତ୍ୱ ।

41

କନକ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟଠାରେ ଉଦଯାପିତ ହୋଇଯାଇଛି ମେ ୧ ତାରିଖରୁ ଆରମ୍ଭ ହୋଇଥିବା ଗୁରୁକୂଳ ଯୋଗ ଶିକ୍ଷା ଶିବିର । ୧୪ ଦିନ ଧରି ଏହି ଯୋଗ ଶିବିର ଚାଲିଥିଲା । ୭ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଏହି ଶିବିରରେ ଯୋଗ ଶିକ୍ଷା ଲାଭ କରିଥିଲେ । ୨୭ ଜଣ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଶିଖିଛନ୍ତି । ଅପରାହ୍ନ ସାଢେ ୪ ରୁ ସାଢ଼େ ୮ ଟା ପର୍ଯ୍ୟନ୍ତ ଏହି ଯୋଗ ଶିବିରରେ ପିଲାମାନେ ବିଭିନ୍ନ ଯୋଗ, ମୁଦ୍ରା, ଆସନ, ମନ୍ତ୍ର ଆଦି ଶିଖୁଥିଲେ ।

ଏହି ୧୪ ଦିନ ଭିତରେ ପିଲାମାନେ ଗୀତା ପାଠ ଶିଖିଛନ୍ତି । ତେବେ ଉଦଯାପନୀ ସନ୍ଧ୍ୟାରେ ପିଲାମାନେ ଏହି ୧୪ ଦିନ ମଧ୍ୟରେ ଶିଖିଥିବା ସମସ୍ତ ଯୋଗାସନ ଓ ଗୀତା ପାଠ କରିଛନ୍ତି । ଏପରିକି ଜଣେ ଅର୍ଜ୍ଜୁନ ଓ ଜଣେ କୃଷ୍ଣ ବେଶରେ ଗୀତା ପାଠ କରିଥିବା ଦୃଶ୍ୟ ଆତ୍କୃଷ୍ଟ କରିଛି । ଦୀର୍ଘ ୩୦ ବର୍ଷ ହେଲା ୭-୧୪ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏଭଳି ଶିବିର ହୋଇ ଆସୁଛି । ପୂର୍ବରୁ ସିନିୟର ପିଲାମାନେ ଯୋଗ ଦେଉଥିଲେ କିନ୍ତୁ ଚଳିତଥର ଅଧିକାଂଶ ଜୁନିୟର ପିଲା ଅଂଶଗ୍ରହଣ କରିଥିଲେ । ସାଧାରଣତଃ ଛୋଟ ପିଲାଙ୍କ ଚଳଚଂଚଳ ପଣ ରହିଥାଏ କିନ୍ତୁ ଏଭଳି ଯୋଗ ଶିବିରରେ ଆସି ଧ୍ୟାନରେ ବସିବା ଦ୍ୱାରା ଓ ବିଭିନ୍ନ ମନ୍ତ୍ର ପାଠ ଆଦି କରିବା ଦ୍ୱାରା ସେସବୁ ସମସ୍ୟା ଦୂର ହେଉଛି ବୋଲି ଅଭିଭାବକ କହିଛନ୍ତି । ଉଦଯାପନୀ କାର୍ଯ୍ୟକ୍ରମରେ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟର ନିର୍ଦ୍ଦେଶକ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ, ସଭାପତି ସୁଦତା ପଟ୍ଟନାୟକ, ଗୀତା ବକ୍ସି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଛନ୍ତି ।