ମଲା ପରେ ବି ଦୁନିଆଁ ଦେଖିବ ପିପିଲିର ଶୁଭମ। ୧୨ ବର୍ଷ ପୁଅର ମୃତ୍ୟୁ ପରେ ଆଖି ଦାନ କଲେ ପରିବାର।

61

କନକ ବ୍ୟୁରୋ: ପୁଅକୁ ନେଇ ବାପା ମାଆ ଦେଖିଥିଲେ ଅନେକ ସ୍ୱପ୍ନ । ବଡ ହୋଇ ଦିନେ ଭଲ ମଣିଷ ହେବ ଆଉ ତାଙ୍କ କୂଳ ରକ୍ଷାକରିବ । ହେଲେ ସେସବୁ ସ୍ୱପ୍ନ ଧୂଳିସାତ ହୋଇଯାଇଛି । ବାପା-ମାଙ୍କ ଆଖିରେ ଲୁହ ଦେଇ ପରପାରିକୁ ଚାଲିଯାଇଛି ନାବାଳକ ପୁଅ । ନା ଅଛି ପୁଅ, ନା ଅଛି ଆଉ ସେ ସ୍ୱପ୍ନ । ଅଛି ତ କେବଳ ପୁଅକୁ ହରାଇବାର ଦୁଃଖ । ହେଲେ ଏହି ଦୁଃଖ ଭିତରେ ମହାନ କାମ କରିଛନ୍ତି ବାପା-ମାଆ । ମୃତ ପୁଅର ଚକ୍ଷୁ ଦାନ କରି ସାରା ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ପୁଅ ସିନା ନାହିଁ ହେଲେ ଏବେ ଅନ୍ୟ ଶରୀରରେ ପୁଅକୁ ଦେଖିପାରିବେ ବାପା-ମାଆ ।

ପୁରୀ ଜିଲ୍ଲା ପିପିଲି ବ୍ଳକ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ବିଲ ମଳିକ ସାହିରେ ରୁହନ୍ତି ଜମ୍ବେଶ୍ୱର ମଳିକ । ପରିବାର କହିଲେ ସ୍ତ୍ରୀ ବର୍ଷାଙ୍କ ସହିତ ଏକମାତ୍ର ପୁଅ ଶୁଭମ ଏବଂ ଝିଅ ସୁଭଦ୍ରା । ଶୁଭମକୁ ୧୨ ବର୍ଷ ବୟସ । ସେ ଦାଣ୍ଡମୁକୁନ୍ଦପୁର ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଜଣେ ମେଧାବୀ ଛାତ୍ର ଭାବରେ ସମସ୍ତଙ୍କ ପ୍ରିୟ ଥିଲେ । ସମସ୍ତେ ପିଲାବେଳେ ସ୍ୱପ୍ନ ଦେଖନ୍ତି ଉଚ୍ଚ ପଦସ୍ଥ ସରକାରୀ ଅଫିସର ହେବା ପାଇଁ । ତେବେ ଶୁଭମ କିନ୍ତୁ ଜଣେ ଭଲ ଚାଷୀ ହେବାପାଇଁ ସ୍ୱପ୍ନ ଦେଖିଥିଲେ । ଏତେ କମ ବୟସର ହୋଇଥିଲେ ମଧ୍ୟ ସେ ଟ୍ରାକ୍ଟର ଚଳାଇବାରେ ଧୁରନ୍ଧର, ଜରୁରୀ ସମୟରେ ଟ୍ରାକ୍ଟର ଚଳାଇ ନିଜ ବାପାଙ୍କୁ ମଧ୍ୟ ଚାଷକାମରେ ସେ ସାହାଯ୍ୟ କରିଥାନ୍ତି ।

ମଙ୍ଗଳବାର ଦିନ ସ୍କୁଲରୁ ଆସି ଘରେ ସ୍କୁଲର ବାକି ପାଠ ସାରିବା ପରେ ମାଙ୍କ ପାଖରେ ଶୋଇଥିଲେ ଶୁଭମ । ତେବେ ଘରର କବାଟ କିନ୍ତୁ ଖୋଲା ରହିଥିଲା । ସେହି ସମୟରେ କୌଣସି ବିଶାକ୍ତ ଶରୀସୃପ ଶୁଭମକୁ କାମୁଡି ଦେଇଥିଲା । ହଠାତ୍ ରାତି ଗୋଟାଏ ବେଳକୁ ମୁଣ୍ଡ ବୁଲାଇ ହେବା ସହିତ ପେଟ କାଟୁଥିବାର ମା’ଙ୍କୁ କହିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ପ୍ରାଥମିକ ଚିକିତ୍ସା କରଯାଇଥିଲା ତେବେ ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ପହଞ୍ଚିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ନିଜର ଏକମାତ୍ର ଗେହ୍ଲା ଓ ପ୍ରତିଭା ସମ୍ପନ୍ନ ପୁଅକୁ ହରାଇ ବାପା ଭାଙ୍ଗିପଡ଼ିଛନ୍ତି । ଦୁଇଦିନ ହେଲା ଘରେ ଚୁଲି ଜଳିନି, ଜନ୍ମକଲା ମା ପୁଅକୁ ହରାଇ ଦୁଇଦିନ ହେବ ଗୋଟାଏ ସ୍ଥାନରେ ପଡ଼ିରହି ବାହୁନି କାନ୍ଦୁଛି । ସେପଟେ ସାହି ପଡିଶା ସାଙ୍ଗସାଥୀ ମଧ୍ୟ ଶୁଭମକୁ ହରାଇ ଭାଙ୍ଗିପଡିଛନ୍ତି ।

ଅନ୍ୟପକ୍ଷେ ଶୁଭମଙ୍କ ଅକାଳ ବିୟୋଗରେ ଦାଣ୍ଡମୁକୁନ୍ଦପୁର ମେମୋରିଆଲ ହାଇସ୍କୁଲରେ ସହପାଠୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପାଇଁ ଶ୍ରେଣୀ ଗୃହରେ ନୀରବ ପ୍ରାର୍ଥନା କରିଥଲେ । ସେ ଜଣେ ଭଲ ଛାତ୍ର ଥିଲେ ତାଙ୍କର ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ଚକ୍ଷୁଦାନ କରି ଅଞ୍ଚଳ ପାଇଁ ଉଦାହରଣ ସାଜିଥିବା ବେଳେ ଆମ ବିଦ୍ୟାଳୟ ମଧ୍ୟ ଶୁଭମ ପାଇଁ ଗର୍ବିତ ବୋଲି କହିଛନ୍ତି ଶ୍ରେଣୀ ଶିକ୍ଷକ ଅଜିତ ପୁରୀ ।ତେବେ ନିଜର ଏକମାତ୍ର ପୁଅକୁ ହରାଇ ଦୁଃଖ ପାଇଛନ୍ତି ସତ ହେଲେ ଚକ୍ଷୁଦାନ କରି ଅନ୍ୟକୁ ଦୁନିଆ ଦେଖିବାର ସୁଯୋଗ ଦେଇ ସାରା ଅଞ୍ଚଳରେ ପ୍ରଶଂସା ସାଉଁଟିବା ସହ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ ।