ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ନିର୍ବାଚନ ଲଢ଼ିବାକୁ ଦଳକୁ କରିଛନ୍ତି ଅନୁରୋଧ

163

କନକ ବ୍ୟୁରୋ: ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୈନିକ ଖବର କାଗଜ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଓଡିଶା ଚ୍ୟାପ୍ଟର କାର୍ଯ୍ୟକ୍ରମରେ ଭାଗ ନେଇ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ନିର୍ବାଚନରେ ଲଢ଼ିବେ କି ନାହିଁ ଏକ ପ୍ରଶ୍ନର ଉତରରେ ଧର୍ମେନ୍ଦ୍ର କହିଛନ୍ତି, ଏଥର ପ୍ରତିଦ୍ୱନ୍ଦିତା କରିବେ । ଏଥିପାଇଁ ଦଳକୁ ଅନୁରୋଧ କରିଛନ୍ତି । ତେବେ ବିଧାନସଭା କି ଲୋକସଭା ପାଇଁ ଲଢ଼ିବେ ଏହି ପ୍ରଶ୍ନକୁ ଏଡାଇ ଦେଇଛନ୍ତି । ଅର୍ଥାତ ବିଧାନସଭାରୁ କି ଲୋକସଭା ଆସନରୁ ଲଢ଼ିବେ ତାହା ସ୍ପଷ୍ଟ କରି ନାହାଁନ୍ତି । ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ୨୦୦୦ ମସିହାରେ ପାଲଲହଡା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ।

୨୦୦୪ରେ ଦେବଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ୨୦୦୯ରେ ବିଜେଡି-ବିଜେପି ମେଂଟ ଭାଂଗିବା ପରେ କିନ୍ତୁ ଲୋକସଭା ନିର୍ବାଚନ ଲଢ଼ି ସେ ପରାଜିତ ହୋଇଥିଲେ । ତାପରେ ଆଉ କୌଣସି ସିଧାସଳଖ ନିର୍ବାଚନ ଲଢ଼ି ନଥିଲେ । ରାଜ୍ୟସଭାକୁ ସେ ଲଗାତାର ୨ଥର ନିର୍ବାଚିତ ହୋଇଛନ୍ତି । ଥରେ ବିହାରରୁ ଓ ଆଉ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି । ଏବଂ କେନ୍ଦ୍ରରେ ମନ୍ତ୍ରୀ ପଦରେ ଅଛନ୍ତି । ଏଥିସହ ଆଗାମୀ ନିର୍ବାଚନରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ କି ପ୍ରଶ୍ନର ଉତର ରଖିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ଏହାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ ଦଳରେ ଅନେକ ଯୋଗ୍ୟ ଲୋକ ଅଛନ୍ତି । ତେଣୁ ଏହାର କୌଣସି ଆବଶ୍ୟକତା ନାହିଁ ।