ନିଆଁ ଲଗାଇଲା ସନାତନ ଧର୍ମକୁ ନେଇ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ: ଦେଶବ୍ୟାପୀ ବିରୋଧ ଓ ପ୍ରତିବାଦ

395

କନକ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ଙ୍କ ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ପରେ ସାରା ଦେଶରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ଉଦୟନିଧିଙ୍କ ବୟାନ କେବଳ ଜଣଙ୍କର ନୁହେଁ ବରଂ ଡିଏମ୍କେ ଏବଂ ଇଣ୍ଡିଆ ମେଂଟର ଆଭିମୁଖ୍ୟ ବୋଲି ଗ୍ରହଣ କରି ନେଇଛି ବିଜେପି । ବିରୋଧୀ ମେଂଟ ସନାତନ ଧର୍ମ ଶେଷ କରିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ସନାତନ ଧର୍ମଗୁରୁ ଉଦୟନିଧି ଷ୍ଟାଲିନ୍ଙ୍କ ବୟାନକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ଆଉ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ୍, ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ବୟାନ, ବିରୋଧ ଓ ପ୍ରତିବାଦର ଏକାଧିକ ସୋପାନ ଅତିକ୍ରମକରି, ଇଣ୍ଡିଆ ମେଂଟରେ ପହଂଚିଛି । ଉଦୟନିଧିଙ୍କ ବୟାନକୁ କେବଳ ଜଣଙ୍କ ବୟାନ ନୁହେଁ ବରଂ ଡିଏମ୍କେ’ର ଆଭିମୁଖ୍ୟ ଏବଂ ସାମଗ୍ରିକ ଭାବେ ଇଣ୍ଡିଆ ମେଂଟର ମନୋଭାବ ବୋଲି ଗ୍ରହଣ କରିଛି ଭାରତୀୟ ଜନତା ପାର୍ଟି । ବିରୋଧୀ ମେଂଟର ତୁଷ୍ଟିକରଣ ରାଜନୀତି ପାଇଁ କୌଣସି ସ୍ତରକୁ ଯାଇପାରନ୍ତି ବୋଲି କହିଛି ବିଜେପି । ସନାତନ ଧର୍ମକୁ ଶେଷ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ଯେଉଁ ବୟାନକୁ ନେଇ ଦେଶରେ ରାଜନୀତି ଉଠୁଛି ପଡ଼ୁଛି । ସନାତନ ଧର୍ମଗୁରୁମାନେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି । ଶୁଣି ନିଅନ୍ତୁ ସେହି ବୟାନରେ କ’ଣ କହିଥିଲେ- ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ।

ଆଶ୍ଚର୍ଯ୍ୟଜନକ ଭାବେ ଉଦୟନିଧିଙ୍କ ବୟାନକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତା । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟାଙ୍କ ଖଡଗେ କହିଛନ୍ତି, ଯେଉଁ ଧର୍ମ ଆପଣଙ୍କୁ ସମାନ ଅଧିକାର ଦିଏ ନାହିଁ କିମ୍ବା ଆପଣଙ୍କ ସହ ମଣିଷ ଭଳି ବ୍ୟବହାର କରେ ନାହିଁ, ତାହା ରୋଗ ସହ ସମାନ । ସେହିପରି କଂଗ୍ରେସ ସାଂସଦ ପି. ଚିଦାମ୍ବରମଙ୍କ ପୁଅ କାର୍ତି ଚିଦାମ୍ବରମ କହିଛନ୍ତି, ସନାତନ ଧର୍ମ କାଷ୍ଟ ହାଇରାରକିକାଲ ସୋସାଇଟି ପାଇଁ ଏକ କୋଡ୍ ବ୍ୟତୀତ ଆଉ କିଛି ନୁହେଁ । ତେବେ ଏହି ବୟାନକୁ ସମାଲୋଚନା କରିଛି ବିଜେପି ।

ରାଜନେତାଙ୍କ ଧର୍ମ ସମ୍ପର୍କିତ ବୟାନ ସ୍ୱାଭାବିକ୍ ଭାବେ, ଧର୍ମଗୁରୁଙ୍କୁ ପ୍ରତିକ୍ରିୟାଶୀଳ କରିଛି । ସାରା ଦେଶର ସାଧୁ, ସନ୍ଥ, ଉଦୟନିଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏସବୁ ଭିତରେ ଉଦୟନିଧି ଷ୍ଟାଲିନ୍ ନିଜେ ରଖିଥିବା ବୟାନ ଉପରେ ଅଟଳ ରହିଛନ୍ତି । ଆବଶ୍ୟକ ପଡ଼ିଲେ ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।

କିଛି ଜିନିଷକୁ କେବଳ ବିରୋଧ କଲେ ହେବ ନାହିଁ, ବରଂ ଏହାକୁ ମୂଳପୋଛ କରିବାକୁ ପଡ଼ିବ । ଉଦାହରଣସ୍ୱରୂପ ମଶା, ଡେଙ୍ଗୁ, ମାଲେରିଆ, କରୋନା । ଆମେ ଏହାକୁ ବିରୋଧ ନୁହେଁ, ବରଂ ଶେଷ କରିବା ଦରକାର । ସନାତନ ଧର୍ମ ଠିକ୍ ସେହିପରି । ସନାତନ ଧର୍ମକୁ ବିରୋଧ କରିବା ବଦଳରେ ଏହାକୁ ଶେଷ କରାଯିବା ଦରକାର ।