ଓଡିଶା ପିଉଛି ପଡିଶା ପାଣି । ପାଣି ପାଇଁ ଆନ୍ଧ୍ରପ୍ରଦେଶ ଝରଣା ଉପରେ ନିର୍ଭରଶୀଳ ଓଡିଶାର ଆଦିବାସୀ ବହୁଳ ଗାଁ ।

82

କନକ ବ୍ୟୁରୋ: ତାତି ଯେତିକି ବଡ଼ୁଛି ପାଣି ପାଇଁ ସେତିକି ଡ଼ହକ ବିକଳ ହେଉଛନ୍ତି ସୀମାନ୍ତବାସୀ । ନା ଅଛି ପାଇପ ପାଣିର ସୁବିଧା, ନା ଅଛି ବସୁଧା ଯୋଜନା । ଗାଁରେ ନଳକୂପ ବି ନାହିଁ । ତେଣୁ ପିଇବା ପାଣି ପାଇଁ ଚାଲିବାକୁ ପଡ଼ୁଛି ଏକ କିମି ରାସ୍ତା । ଗାଁ ଠାରୁ ଏକ କିଲୋମିଟର ଯିବା ପରେ ମିଳୁଛି ଆନ୍ଧ୍ରର ପାଣି । ଜଳ ଯନ୍ତ୍ରଣାର ଏମିତି ଖବର ଆସିଛି କୋରାପୁଟ ଜିଲ୍ଳା ପଟାଙ୍ଗୀ ବ୍ଳକର ଜିଲ୍ଳାଗୁଣ୍ଠା ଗାଁରୁ ।

  • ପାଣି ପାଇଁ ପଡ଼ିଶା ଝରଣା ଉପରେ ନିର୍ଭରଶୀଳ ଓଡିଶା
  • ଆନ୍ଧ୍ର ଝରଣା ପାଣିରେ ଶୋଷ ମେଣ୍ଟାଉଛି କୋରାପୁଟର ଗାଁ

ଘରର ସବୁ କାମ ଦାମ ଛାଡ଼ି ସକାଳୁ ସକାଳୁ ପାଣି ପାଇଁ ଧାଉଁଛନ୍ତି ମହିଳା । ହାତରେ ଗରା ମାଠିଆ ଧରି ଗାଁରୁ ଗୋଟିଏ କିଲୋମିଟର ଚାଲିବା ପରେ ମିଳିବ ପାଣି । ତାହା ପୁଣି ଆନ୍ଧ୍ରପ୍ରଦେଶର ଝରଣା ପାଣି । ଆନ୍ଧ୍ରରୁ ଝରି ଆସୁଥିବା ଝରଣା ପାଣିରେ ପଟାଙ୍ଗୀ ବ୍ଳକର ଜିଲ୍ଳାଗୁଣ୍ଠା ଗ୍ରାମବାସୀଙ୍କୁ ଶୋଷ ମେଣ୍ଟଛି ।

ଗାଁରେ ୭୦ଟି ପରିବାର ରହୁଥିବା ବେଳେ ଗୋଟିଏ ହେଲେ ନଳକୂପ ନାହିଁ । ପିଇବା ପାଣି ପାଇଁ କୌଣସି ଜଳଉତ୍ସ ନାହିଁ । ତେଣୁ ବର୍ଷା ଓ ଶୀତ ଦିନେ ପାହାଡି ଝରର ପାଣିକୁ ବ୍ୟବହାର କରିଥାନ୍ତି ଜିଲ୍ଳାଗୁଣ୍ଠା ଗ୍ରାମବାସୀ । ଖରା ଦିନେ ପାହାଡି ଝର ଶୁଖି ଯିବାରୁ ଆନ୍ଧ୍ର ଝରଣାରୁ ପାଣି ସଂଗ୍ରହ କରିଥାନ୍ତି ଗାଁର ମହିଳା । ହେଲେ ଏମାନଙ୍କ ସମସ୍ୟା ସମାଧନ କରିବା ଦିଗରେ ପଦକ୍ଷେପ ନେଉନାହାନ୍ତି ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି । ତେଣୁ ଏଥର ଆଉ ଭୋଟ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗାଁର ମହିଳା । ତେବେ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଥିବା ବେଳେ କେବେ ମିଳିବ ପାଣି କେବେ ପଡ଼ିବ ନେତା ଓ ପ୍ରଶାସନର ନଜର ତାକୁ ହିଁ ଅପେକ୍ଷା ।