ବିକାଶ ଦେଖିନି ବଣ୍ଡାଘାଟିର ଗାଁ । ଉନ୍ନତିର ବାଟ ଫିଟାଇନି ପ୍ରଶାସନ । ବ୍ଲକ ଅଧ୍ୟକ୍ଷଙ୍କୁ କୈଫତ୍ ମାଗିଲେ ଘାଟି ମଣିଷ

111

କନକ ବ୍ୟୁରୋ: ଦଶନ୍ଧି ଦଶନ୍ଧି ପରେ ମଧ୍ୟ ମୌଳିକ ସୁବିଧାଠାରୁ ମାଇଲ ମାଇଲ ଦୂରରେ ଘାଟି ମଣିଷ । ପାହାଡି ଇଲାକା ଗାଁ ପାତ୍ରପୁଟ । ଏଠି ସୁଯୋଗ ନାହିଁ କି ପ୍ରଶାସନର ପ୍ରତିଛବି ନାହିଁ । ଗାଁରେ ଅଧିକାରୀଙ୍କ ପାଦ ପଡୁଛି ହେଲେ ପାହାଡି ଗାଁର ପରିସ୍ଥିତିକୁ ବଦଳାଇ ପାରୁନାହାନ୍ତି ସରକାରୀ ବାବୁ । ଶେଷରେ ବ୍ଲକ ଅଧ୍ୟକ୍ଷଙ୍କୁ ଗାଁକୁ ଡାକି ଦୁଃଖର ପସରା ଖୋଲିଲେ ଘାଟି ମଣିଷ । ଏହାସହ ବର୍ଷ ବର୍ଷର ସମସ୍ୟାକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କୁ କୈଫତ୍ ମାଗିଛନ୍ତି ଗ୍ରାମବାସୀ ।

  • ବିକାଶ ଦେଖିନି ବଣ୍ଡାଘାଟିର ଗାଁ
  • ଉନ୍ନତିର ବାଟ ଫିଟାଇନି ପ୍ରଶାସନ
  • ବ୍ଲକ ଅଧ୍ୟକ୍ଷଙ୍କୁ କୈଫତ୍ ମାଗିଲେ ଘାଟି ମଣିଷ

ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଭଳି ମୌଳିକ ସବିଧାଠୁ ବହୁ ଦୂରରେ ପାହାଡି ଘାଟି ମଣିଷ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡା ପାହାଡି ଇଲାକାରେ କିଏ ନାଳ ପାଣି ପିଇ ପ୍ରାଣ ହରାଉଛି ତ ଆଉ ଆଉ କିଏ ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚି ନପାରି ମୃତ୍ୟୁମୁଖରେ ପଡୁଛି । ବିକାଶର ଆଳୁଆଡରେ ଅଣ୍ଡ୍ରାହଲ ପଞ୍ଚାୟତର ପାତ୍ରପୁଟ ଗାଁ ଲୋକେ । ଗାଁରେ ସ୍କୁଲ ଅଛି କିନ୍ତୁ କେବେ ବି ଆସନ୍ତି ନାହିଁ ଶିକ୍ଷକ । ସମସ୍ୟା ଭିତରେ ଘାଣ୍ଟି ହୋଇ ଅଣନିଶ୍ୱାସୀ ହେବା ପରେ ଖଇରପୁଟ ବ୍ଲକ ଅଧ୍ୟକ୍ଷଙ୍କୁ ଡାକି କୈଫତ୍ ମାଗିଛନ୍ତି ଘାଟି ମଣିଷ । ପାନୀୟ ଜଳ. ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନର ବାଟ କେବେ ଫିଟିବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।

  • ଗାଁରେ ବିକାଶର ପାଦ ପଡିବ କେବେ?
  • ପାହାଡି ମଣିଷଙ୍କ ପାଇଁ ପ୍ରଶାସନର ଦରଦ କେତେ?
  • ଘାଟି ଅଞ୍ଚଳକୁ ଉନ୍ନତିର ବାଟ ଫିଟାଇବାକୁ ଆଉ କେତେ ବର୍ଷ ଲାଗିବ?

ଏମିତି ପ୍ରଶ୍ନର ଉତ୍ତର ମାଗିଛନ୍ତି ପାତ୍ରପୁଟ ଗାଁ ଲୋକେ । ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀଙ୍କୁ ପାଖରେ ପାଇ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ଗ୍ରାମବାସୀ । ସମସ୍ୟାକୁ ନେଇ ପ୍ରଶାସନ ନିକଟରେ ଦାବି ଉପସ୍ଥାପନା କରିବା ପରେ ମଧ୍ୟ କୈାଣସି ସମାଧାନ ହେଉନଥିବା ଅଭିଯୋଗ କରୁଛନ୍ତି ଅଣ୍ଡ୍ରାହଲର ପୂର୍ବତନ ସରପଞ୍ଚ ସୋମନାଥ ଶିଶା । ଗାଁ ଲୋକଙ୍କ ପ୍ରଶ୍ନ ବବାଦରେ ଜିଲ୍ଲାସ୍ତରର ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ।

ରାଜ୍ୟ ସରକାରଙ୍କ ତରଫରୁ ବଣ୍ଡାଘାଟିରେ ସ୍ୱତନ୍ତ୍ର ଫୋକସ ଦେବାକୁ ବିଭିନ୍ନ ଉନ୍ନୟନ ସଂସ୍ଥା କାମ କରୁଛି । ହେଲେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଭଳି ସୁବିଧା ଠାରୁ ବହୁ ଦୂରରେ ଘାଟି ମଣିଷ ।