ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ଆରମ୍ଭ ହୋଇଛି ରାଜନୀତି, ସୌରଭ ଗାଙ୍ଗୁଲିଙ୍କୁ ନେଇ ଟିଏମସି କଲା ବିଜେପିକୁ ଟାର୍ଗେଟ୍ 

276

କନକ ବ୍ୟୁରୋ : ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ଆରମ୍ଭ ହୋଇଛି ରାଜନୀତି । ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ରୋଜର ବିନ୍ନି ବିସିସିଆଇର ନୂଆ ହେବା ସମ୍ଭାବନାକୁ ନେଇ ଟିଏମସି, ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ୍ କରିଛି । ଟିଏମସିର ମୁଖପାତ୍ର କୃଣାଲ ଘୋଷ କହିବା ଅନୁସାରେ, ଗତବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଗାଙ୍ଗୁଲି ବିଜେପିରେ ସାମିଲ୍ ହେବା ନେଇ ବିରୋଧୀ ଦଳ ବାର୍ତା ଦେଇଥିଲେ । କିନ୍ତୁ ଗାଙ୍ଗୁଲି ବିଜେପିରେ ସାମିଲ ହୋଇନଥିଲେ । ସେଥିପାଇଁ ବିଜେପି ପ୍ରତିଶୋଧ ପରାୟଣ ହୋଇ ଗାଙ୍ଗୁଲିଙ୍କୁ ବିସିସିଆଇ ଅଧ୍ୟକ୍ଷ ପଦରୁ କାଢ଼ି ହୀନ ଚକ୍ରାନ୍ତ କରୁଥିବା କୃଣାଲ କହିଛନ୍ତି ।

ସେହିପରି ଟିଏମସି ସାଂସଦ ଶାନ୍ତନୁ ସେନ୍ ପ୍ରଶ୍ନ କରିଛନ୍ତି ଯେ, ଯଦି ଜୟ ଶାହ ଦ୍ୱିତୀୟଥର ପାଇଁ ସମ୍ପାଦକ ପଦରେ ରହିପାରୁଛନ୍ତି, ତାହେଲେ ଗାଙ୍ଗୁଲିଙ୍କୁ କାହିଁକି ଅଧ୍ୟକ୍ଷ ପଦରେ ପୁନଃନିଯୁକ୍ତି ମିଳିବ ନାହିଁ । ସେପଟେ ଟିଏମସିର ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି, ବିଜେପି କେବେ ଗାଙ୍ଗୁଲିଙ୍କୁ ପାର୍ଟିରେ ସାମିଲ୍ କରିବାକୁ ପ୍ରୟାସ କରିଛି, ତାହା ଆମେ ଜାଣିନାହୁଁ । ଗାଙ୍ଗୁଲି ଜଣେ କିମ୍ବଦନ୍ତୀ କ୍ରିକେଟର । ବିସିସିଆଇରେ ପରିବର୍ତନକୁ ନେଇ କିଛି ଲୋକେ ତୁଚ୍ଛା ରାଜନୀତି କରୁଥିବା କହିଛନ୍ତି ଦିଲ୍ଲୀପ ।