ରାଜ୍ୟ କ୍ରିକେଟ ପ୍ରଶାସନରେ ପଶିବେ ପ୍ରଣବ? ଭୋଟର ତାଲିକାରେ ନାଁ ଆସିବା ପରେ ଚର୍ଚ୍ଚା।

606

କନକ ବ୍ୟୁରୋ: ଓଡିଶା କ୍ରିକେଟ ଆସୋସିଏସନ-ଓସିଏରେ ପ୍ରବେଶ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ବିଧାୟକଙ୍କୁ ପ୍ରତିନିଧି କରି ପଠାଇଛି ଯାଜପୁର ଜିଲ୍ଲା କ୍ରିକେଟ ଆସୋସିଏସନ୍ । ଯାଜପୁର ଜିଲ୍ଲାରେ କ୍ରିକେଟ ପ୍ରତି ତାଙ୍କ ଅବଦାନ କାରଣରୁ ପ୍ରତିନିଧିତ୍ୱ ମିଳିଥିବା କହିଛନ୍ତି କାର୍ଯ୍ୟକରୀ ସମ୍ପାଦକ । ହେଲେ ୭୩ ଜଣିଆ ତାଲିକାରେ ପ୍ରଣବ ପ୍ରକାଶ ଦାସଙ୍କ ନାଁକୁ ନେଇ ହଟଚମଟ ସୃଷ୍ଟି ହୋଇଛି । ରାଜ୍ୟ ରାଜନୀତିର ଅନ୍ୟତମ କ୍ଷମତାକେନ୍ଦ୍ର, ଏବେ ରାଜ୍ୟ କ୍ରିକେଟ ପ୍ରଶାସନ ଉପରେ ଆଖି ପକାଇଥିବା ଚର୍ଚ୍ଚା ଜୋର ଧରିଛିା

ଆଗାମୀ ୨୮ରେ ହେବ ଓସିଏ ନିର୍ବାଚନ । ଏଥିପାଇଁ ୭୩ ଜଣିଆ ଭୋଟର ତାଲିକା ଜାରି ହୋଇଥିବାବେଳେ, ଆସନ୍ତାକାଲି ସୁଦ୍ଧା ଆପତି ଅଭିଯୋଗର ଶୁଣାଣି ହୋଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ନୂଆ ସମ୍ବିଧାନ ଓ ବିଧି ବ୍ୟବସ୍ଥାକୁ ନେଇ ୨୦୧୯ରେ ଓସିଏରେ ହୋଇଥିଲା ରୋମାଞ୍ଚକର ଲଢେଇ । ବିଶିଷ୍ଟ ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ସଭାପତି ଏବଂ ଆଶୀର୍ବାଦ ବେହେରାଙ୍କ ପୁଅ ସଂଜୟ ବେହେରା ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ । କୁହାଯାଉଛି ମାତ୍ର ୩ଟି ଭୋଟରେ ସଭାପତି ନିର୍ବାଚନ ହାରିଥିଲେ ପ୍ରତିପକ୍ଷ ପ୍ରଦୀପ ଚୌହାନ । ତାଙ୍କ ଗୋଷ୍ଠୀର ନବ ପଟ୍ଟନାୟକ ମଧ୍ୟ ନିର୍ବାଚନରେ ସଫଳ ହୋଇପାରିନଥିଲେ । ୩ବର୍ଷ ପରେ ପୁଣି ନିର୍ବାଚନ ଆସିଥିବାରୁ ପାୱାର ପଲିଟିକ୍ସ ବା କ୍ଷମତା ରାଜନୀତିର ଆଭାସ ମିଳିଲାଣି ।

ଓଡିଶା କ୍ରିକୋଟ ଆସୋସିଏସନ ସହ ଜଡିତ ବ୍ୟକ୍ତି ବିଶେଷଙ୍କ ଅନୁମାନ ଯେ, ରାଜ୍ୟ କ୍ରିକେଟ ପ୍ରଶାସନରେ ପ୍ରଣବଙ୍କ ପ୍ରବେଶ ହେବାକୁ ଯାଉଛି । ସାଧାରଣ ଭୋଟର ଭାବେ ତାଲିକାରେ ପ୍ରଣବ ପ୍ରକାଶଙ୍କ ନାଁ ରହିବାକୁ ସେମାନେ ସହଜରେ ଗ୍ରହଣ କରିନାହାନ୍ତି । ବରଂ ଗତଥର ଅଳ୍ପ ଭୋଟରେ ଜିତିଥିବାରୁ ସଂଜୟ ଗୋଷ୍ଠୀ ପ୍ରଣବଙ୍କୁ ଓସିଏରେ ଏଂଟ୍ରି କରାଇଥିବା ଚର୍ଚ୍ଚା ହେଉଛି । ଏପରି ବି କୁହାଯାଉଛି ଯେ, ପ୍ରତ୍ୟକ୍ଷ ଭାବେ କ୍ଷମତାଧାରୀଙ୍କ ଭିତରେ ଟକ୍କର ହେବନାହିଁ ତଥାପି ଓସିଏ ନିର୍ବାଚନରେ ରାଜନୈତିକ ଶକ୍ତିଙ୍କ ପ୍ରବେଶ ମାହୋଲକୁ ସରଗରମ କରିଛି ।