ବିଦେଶୀ ସଂସ୍ଥାର ପାଣିପାଗ ମଡେଲକୁ ଆଇଏମଡିର ଖଣ୍ଡନ, ୭ ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା ସମ୍ଭାବନା।

131

କନକ ବ୍ୟୁରୋ: ମହାବାତ୍ୟା ଆସିବା ଖବରକୁ ନେଇ ଅନ୍ତଜାର୍ତୀୟ ପାଣିପାଗ ସଂସ୍ଥା ଜିଏଫଏସ ମଡେଲର ଆକଳନକୁ ସିଧାସଳଖ ଖଣ୍ଡନ କରିଛି ଭାରତୀୟ ପାଣିପାଗ ବିଭାଗ । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଆଇଏମଡି ଡିଜି କହିଛନ୍ତି, ୭ଦିନ ଭିତରେ କୌଣସି ବାତ୍ୟା ଆଶଙ୍କା ନାହିଁ । ଆଗକୁ କଣ ହେବ ପରେ ଆକଳନ କରାଯିବ । ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ସଠିକ ଆକଳନ କରେ । ଜିଏଫଏସ ମଡେଲକୁ ବିଶ୍ୱାସ କରାଯାଇନପାରେ । ବାତ୍ୟାକୁ ନେଇ ହୋଇଥିବା ଗୁଜବ ଉପରେ ବିଶ୍ୱାସ ନକରିବାକୁ କହିଛନ୍ତି । ଏଥିସହ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ମହାବାତ୍ୟା ଗୁଜବକୁ ବିଶ୍ୱାସ ନକରିବାକୁ କୁହାଯାଇଛି ।

ଆସନ୍ତା ୧୬ ରୁ ୧୭ ତାରିଖ ଭିତରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ଓଡିଶାର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ହେଲେ,ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ବାତ୍ୟା ସମ୍ପର୍କରେ କୌଣସି ଆକଳନ କରିନଥିବା ସ୍ପଷ୍ଟ କରିଛି  । ତେବେ ଅନ୍ତଜାର୍ତୀୟ ପାଣିପାଗ ସଂସ୍ଥା ବାରମ୍ବାର ନିଜ ମଡେଲ ପରିବର୍ତିନ କରୁଥିବାରୁ, ଏହାକୁ ବିଶ୍ୱାସ ନକରି ଭାରତୀୟ ପାଣିପାଗ ବିଭାଗର ମଡେଲକୁ ବିଶ୍ୱାସ କରିବାକୁ କହିଛନ୍ତି ପାଣିପାଗ ବିଜ୍ଞାନୀ  । ଅକ୍ଟୋବର ମାସରେ ଅନେକ ବାତ୍ୟା ଆସିଥିବାରୁ ମହାବାତ୍ୟା ଖବର ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରିଥିଲା । କିନ୍ତୁ, ଭାରତୀୟ ପାଣିପାଗ ସଂସ୍ଥାର ଆକଳନ ଆଶ୍ୱସ୍ତି ଆଣିଛି ।