ସାରା ରାଜ୍ୟରେ ଅସହ୍ୟ ଗରମ । ଆହୁରି ୨ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ୭ରୁ ବଦଳିବ ପାଗ ।

132

କନକ ବ୍ୟୁରୋ: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛି ସାରା ଓଡିଶା । ଉପକୂଳରୁ ଉପାନ୍ତ ହେଉକି ବୌଦ୍ଧରୁ ଭୁବନେଶ୍ୱର । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ସ୍ୱାଭାବିକ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆହୁରି ଦୁଇଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ଗତକାଲି ବୌଦ୍ଧ, ମାଲକାନଗିରି, ଟିଟିଲାଗଡ, ବଲାଙ୍ଗୀର ଓ ଅନୁଗୁଳରେ ୪୧ ଡିଗ୍ରୀ ଟପିଛି ଦିନର ସର୍ବୋଚ୍ଚ ତାପମାତ୍ରା । ଭବାନୀପାଟଣାରେ ମଧ୍ୟ ଦିନର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି । ପ୍ରଚଣ୍ଡ ରୌଦ୍ର ତାପରେ ସନ୍ତୁଳି ହେବ ସାରା ଓଡିଶା । ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ କିନ୍ତୁ ଗରମ କମିବ ନାହିଁ । ଗତକାଲି କଳାହାଣ୍ଡି ଜିଲ୍ଲା କୋକସରାରେ ସର୍ବାଧିକ ୩୫ ମିଲମିଟର ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୭ ତାରିଖ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀର ପ୍ରଭାବ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ।

ଏପ୍ରିଲ ୭ ଓ ୮ ତାରିଖ ବର୍ଷାର ପ୍ରଭାବ ଧିରେ ଧିରେ ବୃଦ୍ଧି ପାଇବ । ବିଜୁଳି ଘଡଘଡି ସବ ବର୍ଷା ଓ ଘଂଟା ପ୍ରତି ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ୭ ତାରିଖ ପରେ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ଏପଟେ ପ୍ରବଳ ଖରା ଯୋଗୁ ଅଂଶୁଘାତ ହେବାର ଭୟ ରହିଛି । ଏ ନେଇ ମାର୍ଗଦର୍ଶିକା ଜାରି କରିଛି ଜନସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରହିବ ଅଂଶୁଘାତ ପାଇଁ ୬ଟି ସ୍ୱତନ୍ତ୍ର ବେଡ୍ । ସେହିଭଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଟି ଓ ପ୍ରାଥମିକ ସ୍ୱାସ୍ଥ୍ୟକେଦ୍ରରେ ଗୋଟିଏ ବେଡ୍ ରହିବ । ଏହାସହ ଆବଶ୍ୟକିୟ ଔଷଧ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।