ଘର ମିଳିନଥିବାରୁ ଫେଲ ମାରିଲା ଜିରୋ କାଜୁଆଲଟି ମିଶନ । ବର୍ଷାରେ କାନ୍ଥପଡି ୫ ଜଣଙ୍କ ମୃତ୍ୟୁ । ବିଜେଡି- ବିଜେପି ଦୋଷ ଠେଲାଠେଲି

90

କନକ ବ୍ୟୁରୋ: ଆବାସ ଯୋଜନାରେ ଗରିବଙ୍କୁ ଘର ମିଳିନଥିବାରୁ, ବନ୍ୟାରେ ସେମାନେ କେମିତି ହିନସ୍ତା ହେଉଛନ୍ତି ଆମେ ତିନି ଦିନ ହେଲା ଆପଣଙ୍କୁ ଦେଖାଇ ଆସୁଛୁ, ଆଉ ଆଜି ଆସିଛି ଚିନ୍ତାଜନକ ଖବର । ଘର ମିଳିନଥିବାରୁ ଓ ମାଟି ଘର କାନ୍ଥ ପଡିଯିବାରୁ ବିଭିନ୍ନ ସ୍ଥାନରେ ୫ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଅନ୍ୟପଟେ ବିଜେଡି ବିଜେପି ନେତା ଏହି ପ୍ରସଙ୍ଗରେ ପରସ୍ପର ପରସ୍ପରକୁ ଦୋଷ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନମଳିବା ଓ ମାଟି ଘରେ ରହିବା କାଳ ହୋଇଛି । ସାରା ରାତି ବର୍ଷା ଲାଗି ରହିବା ଯୋଗୁଁ ସକାଳର ସୂର୍ଯ୍ୟ ଉଇଁବା ଆଗରୁ ମାଟି କାନ୍ଥ ତଳେ ଚାପି ହୋଇ ୫ ଜଣଙ୍କର ଜୀବନ ଯାଇଛି । ଯାହା ସରକାରଙ୍କ ଜିରୋ କାଜୁଆଲଟି ମିଶନକୁ ଶକ୍ତ ଧକ୍କା ଦେଇଛି । ତେବେ ସରକାର ଚାରି ଜଣଙ୍କ ମୃତ୍ୟୁ ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି ।

ପାଟକୁରାରେ ବନ୍ୟା ପାଣି ଭିତରେ ସମ୍ପୂର୍ଣ୍ଣ ମିଶି ଯାଇଛି ଝାଟି ମାଟିର ଚାଳ ଛପର ଘର । ଆଉ ଏବେ ପାଣି କମିବା ପରେ ସେହି କାଦୁଅ ଭିତରୁ ନିଜର ସ୍ୱପ୍ନକୁ ଅଣ୍ଡାଳୁଛନ୍ତି ବନ୍ୟା ପୀଡିତ । ଅନ୍ୟପଟେ ଏପର୍ଯ୍ୟନ୍ତ ଲୋକଙ୍କୁ କାହିଁକି ଆବାସ ଯୋଜନାରେ ଘର ମିଳିନି ସେନେଇ ଆରମ୍ଭ ହୋଇଛି ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବୟାନ ବାଜି । ତେବେ ପ୍ରଶ୍ନ ଉଠୁଛି, ଯୋଗ୍ୟ ଲୋକଙ୍କୁ କାହିଁକି ଏପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ମିଳିନି । ଯଦି ଆବାସ ଯୋଜନରେ ଘର ମିଳିଥାନ୍ତା ହୁଏତ ଆଜି ୫ ଜଣଙ୍କର ମୃତ୍ୟୁ ହୋଇନଥାନ୍ତା ।