ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଜଳକା ଓ ବୁଢ଼ାବଳଙ୍ଗ । ଉପରମୁଣ୍ଡରୁ ପାଣି ଆସୁଥିବାରୁ ସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା ।

111

କନକ ବ୍ୟୁରୋ: ମହାନଦୀ ଅବବାହିକାରେ ବନ୍ୟା ଜଳ କମୁଥିବା ବେଳେ ଉତ୍ତର ଓଡ଼ିଶାରେ ନଦୀଗୁଡ଼ିକ ଫୁଲୁଛି । ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ୁଛି । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଛି । ତେବେ ବନ୍ୟାର ଭୟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

  • ବଢୁଛି ଜଳକା, ବଢୁଛି ବୁଢ଼ାବଳଙ୍ଗ
  • ବୃଦ୍ଧି ପାଉଛି ସୁବର୍ଣ୍ଣରେଖାର ଜଳସ୍ତର

ବଙ୍ଗୋପସାଗରରେ ତୀବ୍ର ଅବପାତ ଯୋଗୁଁ ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଯୋଗୁଁ ଜଳକା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢିବାରେ ଲାଗିଛି । ମଥାନୀରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଏହାର ୧ ମିଟର ଉପରେ ରହିଛି ଜଳସ୍ତର । ହେକ୍ଟର ହେକ୍ଟର ଚାଷଜମିରେ ବନ୍ୟାଜଳ ପ୍ରବାହିତ ହେଉଛି । ମୁଖ୍ୟ ରାସ୍ତା ଉପରେ ପାଣି ଲହଡ଼ି ଖେଳୁଛି । ୩୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ବର୍ଷା ଛାଡି ଯାଇଥିଲେ ବି ଉପରମୁଣ୍ଡରୁ ପାଣି ଆସୁଥିବାରୁ ସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା ରହିଛି । ବନ୍ୟାକୁ ଦୃଷ୍ଟିରେ ରଖି ୧୩ଟି ପଞ୍ଚାୟତକୁ ସତର୍କ କରାଯାଇଛି । ସବୁପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ ।

ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ପରେ ବୁଢ଼ାବଳଙ୍ଗ ଓ ଜମ୍ଭୀରା ଆଦି ନଦୀରେ ବଢୁଛି ଜଳସ୍ତର । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ବୁଢ଼ାବଳଙ୍ଗ ଓ ଅନ୍ୟାନ୍ୟ ଶାଖା ନଦୀରେ ବନ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି । ବାଙ୍ଗିରିପୋଷି, ବଡ଼ସାହି, ଶୁଳିଆପଦା, ମରୋଡ଼ା, ରାସଗୋବିନ୍ଦପୁର ବ୍ଳକରେ ଅନେକ ଚାଷଜମି ଏବେ ଜଳମଗ୍ନ ହୋଇଛି । କିଛି ସ୍ଥାନରେ ରାସ୍ତା ଉପରେ ବି ପାଣି ଚାଲିଛି ।

ଏପଟେ ବାରିପଦାରେ ରେକର୍ଡ ବର୍ଷା ଓ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ବାରିପଦା ସହରରେ ପଶିଛି ପାଣି । ତିନିଟି ୱାର୍ଡର ପାଖାପାଖି ୧୦୦ରୁ ଅଧିକ ପରିବାର ଏବେ ପାଣିଘେରରେ ରହିଛନ୍ତି । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ସେପଟେ ଝାଡଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଫଳରେ ଝାଡଖଣ୍ଡର ଗାଲୁଡିହ ବ୍ୟାରେଜର ଗେଟ୍ ଖୋଲାଯାଇଛି । ସେଠାରୁ ପାଣି ଆସୁଥିବାରୁ ସୁବର୍ଣ୍ଣରେଖାରେ ଜଳସ୍ତର ବଢିବା ଆଶଙ୍କା ରହିଛି । ଉତ୍ତର ଓଡ଼ିଶାର ସମସ୍ତ ନଦୀ ଉପରେ ତୀକ୍ଷଣ୍ ନଜର ରଖାଯାଇଥିବା କହିଛନ୍ତି ଏସଆରସି । ଏପଟେ ମହାନଦୀର ତଳମୁଣ୍ଡରେ ବର୍ଷା ହୋଇଛି । କନ୍ଧମାଳରେ ପ୍ରବଳ ବର୍ଷା ହୋଇଛି । ତେବେ ମହାନଦୀ ଓ ଏହାର ଶାଖା ନଦୀରେ ଜଳସ୍ତର ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ।

ସୂଚନାଯୋଗ୍ୟ ଯେ, ଛତିଶଗଡ଼ର ୬ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଓ ୧୫ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ସେଠାରେ ମଧ୍ୟ ମହାନଦୀର ଜଳସ୍ତର ନିୟନ୍ତ୍ରଣରେ ଥିବା ସୂଚନା ମିଳିଛି ।