କମୁଛି ଜଳସ୍ତର, ହେଲେ କମୁନି ଲୋକଙ୍କ ଦୁର୍ଦ୍ଦଶା । ନଦୀ ବନ୍ଧରେ ଖୋଲା ଆକାଶ ତଳେ ବିତୁଛି ଜୀବନ ।

97

କନକ ବ୍ୟୁରୋ: ବନ୍ୟା ଜଳ କମିଛି, ହେଲେ ଲୋକଙ୍କ ଦୁଃଖ କମିନି । ଏବେ ବି ଜରିପାଲକୁ ଆଶ୍ରା କରି ନଦୀ ବନ୍ଧ ଉପରେ ଦିନ କାଟୁଛନ୍ତି ଶହ ଶହ ବନ୍ୟା ବିପନ୍ନ । ଏପରି ଦୁର୍ଦ୍ଦିନ ଭିତରେ ପ୍ରଶାସନ ଯେଉଁମାତ୍ରାରେ ପଦକ୍ଷେପ ନେବା କଥା, ତାହା କରାଯାଇ ନଥିବା ମଧ୍ୟ ଅଭିଯୋଗ ହୋଇଛି । ନଦୀବନ୍ଧରେ ଆଶ୍ରୟ ନେଇଥିବା ଅନେକ ପ୍ରଭାବିତ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ପାଖରେ ରନ୍ଧା ଖାଦ୍ୟ କି ରିଲିଫ ପହଞ୍ଚି ନାହିଁ । ସେପଟେ ବନ୍ୟା ପାଣି ବର୍ଷ ଯାକର ପରିଶ୍ରମର ଫସଲକୁ ଉଜାଡ଼ି ଦେଇଛି, ତେଣୁ ଭବିଷ୍ୟତର ଚିନ୍ତାରେ ଆଖିକୁ ନିଦ ଆସୁନାହିଁ ।

  • ଗାଁ ଛାଡୁନି ବନ୍ୟା ପାଣି
  • ନଦୀବନ୍ଧ ପାଲଟିଛି ଆଶ୍ରୟସ୍ଥଳୀ

ବିଭିନ୍ନ ନଦୀରୁ ଜଳସ୍ତର କମୁଛି, ହେଲେ ବନ୍ୟା ପାଣି ଗାଁ ଛାଡିନଥିବାରୁ ପରିବାର ସହ ନଦୀବନ୍ଧକୁ ଉଠିଆସିଛନ୍ତି ୩୦୦ ଗ୍ରାମବାସୀ । ଜରିପାଲ ତଳେ ଦୁଃଖ, କଷ୍ଟରେ କଟୁଛି ବନ୍ୟା ପୀଡିତଙ୍କ ଜୀବନ । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବାକୁ ଯାଇଥିବା କନକ ନ୍ୟୁଜ କ୍ୟାମେରା ଆଗରେ ବନ୍ୟା ବିପନ୍ନ ଦୁଃଖ ବଖାଣିବା ସମୟରେ ଯୁକ୍ତି ବାଢିଥିଲେ ସ୍ଥାନୀୟ ସରପଞ୍ଚ ।

ଜଳବନ୍ଦୀ ହୋଇଥିବା ବନ୍ୟା ବିପନ୍ନଙ୍କ ଗୁହାରି କେହି ଶୁଣୁ ନାହାନ୍ତି । ୫ ଦିନ ହେଲା ରିଲିଫ କି ରନ୍ଧାଖାଦ୍ୟ ପହଞ୍ଚି ପାରିନି, ଭାଗ୍ୟକୁ ଆଦରି ଚୁଡା ମୁଢିରେ ଭୋକ ମେଣ୍ଟାଉଛନ୍ତି । ଦିନ ଢଳିଗଲା ପରେ ରାତିରେ ବନ୍ୟା ବିପନ୍ନଙ୍କ କଷ୍ଟ ବଢିଯାଉଛି । ସାପ, ବିଛା ଭୟରେ ଲୋକଙ୍କ ନିଦ ହେଉନି । ସେପ୍ଣଙ୍କ ଖୋର୍ଦ୍ଧା ଜିଲ୍ଲା ଧବଳପୁର ଗାଁ ଦାଣ୍ଡରେ ଡଙ୍ଗା ଚାଲୁଛି । ଘରେ ବନ୍ୟା ପାଣି ପଶିଥିବାରୁ ଲୋକେ ଛାତ ଉପରେ ଆଶ୍ରୟ ନେଇଛନ୍ତି । ଚୁଲି ଜାଳିବାକୁ ନିଆଁ ନାହିଁ କି ପାଣି ନାହିଁ । ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି ।

ପୁରୀ ଜିଲ୍ଲା ସାହୁପଡା ପଞ୍ଚାୟତ ବନ୍ଧମୁଣ୍ଡା ଗାଁର ଦୁର୍ଦ୍ଦଶା କଥା କହିଲେ ସରିବ ନାହିଁ । ଘରେ ପାଣି ପଶିଛି, ଲୋକେ ଛାତରେ ଆଶ୍ରୟ ନେଇଛନ୍ତି । ଟ୍ୟୁବ ଭେଳା ବାନ୍ଧି ଲୋକେ ଗାଁ ଭିତରେ ଯିବା ଆସିବା କରୁଛନ୍ତି । ଘରେ ବନ୍ୟା ପାଣି ପଶିବା ପରଠୁ ରନ୍ଧା ଖାଦ୍ୟ ଖାଇବା ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଯାଇଛି । ଅନ୍ୟପଟେ ମାର୍ଶାଘାଇ ବ୍ଲକର ବଡିରା ଗାଁ ବନ୍ୟା ପାଣି ଯୋଗୁଁ ଏକ ଦ୍ୱୀପ ପାଲଟିଯାଇଛି । ଚାରିଆଡେ ପାଣି ମଝିରେ ଗାଁ ରହିଛି । ଜଣେ ନାବାଳକର ଦେହ ଖରାପ ହେବା ଖବର ପାଇ ଏନଡିଆରଏଫ ଟିମ ଗାଁରେ ପହଂଚି ଶିଶୁ ଓ ତା ମାଆକୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି ।

  • ପାଣିରେ ଭାସିଲା ପନିପରିବା
  • ସର୍ବସ୍ୱାନ୍ତ କଲା ବନ୍ୟା ପାଣି

ବନ୍ୟା ପାଣିରେ ପରିବା ଚାଷ ସଂପୂର୍ଣ୍ଣ ଉଜୁଡିଯାଇଛି । ନିଆଳିରେ ପରିବା ପଟାଳିରେ ପାଣି ଭର୍ତ୍ତି ହୋଇଥିବାରୁ ପାଣିରେ ଭାସୁଛି ପୋଟଳ, କଲରା, କାକୁଡି, ଭେଣ୍ଡି, ଝୁଡଙ୍ଗ । ବସ୍ତାର ପରିବା କ୍ଷେତ ଉପରେ ଏବେ ବେ ଅଣ୍ଟାଏ ଉଚ୍ଚର ପାଣି ବହୁଛି । ନିମାପଡାରେ ପରିବା ଚାଷ ଲଗାଣ ବର୍ଷା ଓ ବନ୍ୟା ପରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବନ୍ୟା ପାଣିରେ ଛତିଶଗଡର ପରିବା ଓଡିଶାକୁ ଭାସିଆସିଛି । ହୀରାକୁଦ ନଦୀବନ୍ଧ କୂଳରେ କଞ୍ଚା ପନିପରିବା ଦେଖିବାକୁ ମିଳିଛି । ଉପରମୁଣ୍ଡରୁ ବନ୍ୟା ପାଣି ସହ ଏହି ପରିବା ଭାସି ଆସିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।