ସାଇବର ଠକଙ୍କ କବଳରୁ ଅଳ୍ପକେ ବର୍ତ୍ତିଲେ ମହିଳା । ନିଜକୁ ସେନା ଅଧିକାରୀ ପରିଚୟ ଦେଇ ଠକିବାକୁ ଉଦ୍ୟମ କରିଥିଲେ ଠକ । 

204

କନକ ବ୍ୟୁରୋ: ନିଜର ଉପସ୍ଥିତ ବୁଦ୍ଧି ଖଟାଇ ସାଇବର ଠକଙ୍କ କବଳରୁ ଅଳ୍ପକେ ବର୍ତ୍ତିଲେ ମହିଳା । ନିଜକୁ ସେନା ଅଧିକାରୀ ପରିଚୟ ଦେଇ ନକଲି କାଗଜ ପତ୍ର ଦେଖାଇ ଘର ଭଡା ନେବା ନାଁରେ ଲୁଟିବାକୁ ଉଦ୍ୟମ କରୁଥିବା ସାଇବର ଠକଙ୍କ ଯୋଜନା ଫେଲ ମାରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ ।

ସହରର ବୀମା ନଗରରେ ପରିବାର ସହ ରହୁଥିବା ମହିଳା କଳ୍ପନା ସେନାପତି ବୃତ୍ତିରେ ଜଣେ ଅଧ୍ୟାପିକା । ଅତିଥି ଅଧ୍ୟାପିକା ଭାବେ ଫିସେରୀ କଲେଜରେ ଛାତ୍ରଛାତ୍ରୀଙ୍କୁ ପଢାନ୍ତି । ଭୁବନେଶ୍ୱର ସୁନ୍ଦରପଦାଠାରେ ଥିବା ନିଜ ଘରକୁ ଭଡାରେ ଲଗାଇବା ପାଇଁ ସେ ଓଏଲଏକ୍ସ ମାଧ୍ୟମରେ ବିଜ୍ଞାପନ ଦେଇଥିଲୋ । ବିଜ୍ଞାପନରେ ଦେଇଥିବା ଫୋନ ନମ୍ବରକୁ ସାଇବର ଠକମାନେ ପାଇବା ପରେ ଲୁଟିବା ଉଦ୍ୟମ ଆରମ୍ଭ କରିଥିଲେ । ନିଜକୁ ସେନା ଅଧିକାରୀ କହି ବିଭିନ୍ନ ପ୍ରକାର ନକଲି ପରିଚୟ ପତ୍ର ଦେଇ ମହିଳାଙ୍କ ମନରେ ପ୍ରଥମେ ବିଶ୍ୱାସ ସୃଷ୍ଟି କରିଥିଲେ । ତାପରେ ଧିରେ ଧିରେ ସେମାନେ ନେଟ ବ୍ୟାଙ୍କିଙ୍ଗ ମଧ୍ୟମରେ ଲୁଟିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସନ୍ଦେହ ସୃଷ୍ଟି ହେବାରୁ ମହିଳା ଜଣକ ସତର୍କତା ଅବଲମ୍ବନ କରି ଏଥିରୁ ରକ୍ଷା ପାଇଯାଇଛନ୍ତି । ଏଭଳି ଠକଙ୍କ ଠାରୁ ନିଜେ ବର୍ତ୍ତିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ଏହାସହ ସାବଧାନ ରହିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।