ଏମିତି ବି ଆସେ ମୃତ୍ୟୁ । ପୁରସ୍କାର ଗ୍ରହଣ ବେଳେ, ମଞ୍ଚ ଉପରେ ଚାଲିଗଲା ଜୀବନ ।

162

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । ପୁରସ୍କାର ଗ୍ରହଣ ବେଳେ ଟଳିପଡ଼ିଲେ ବୃଦ୍ଧା । ପୁରସ୍କାର ନେବା ପାଇଁ ଖୁସିରେ ମଞ୍ଚକୁ ଚଢିଥିଲେ । ପୁରସ୍କାର ବି ଗ୍ରହଣ କଲେ । ପୁରସ୍କାରର ପ୍ରତ୍ୟୁତ୍ତରରେ ହସ ହସ ମୁହଁରେ ଉଦବୋଧନ ଦେଉଥିବା ବେଳେ ଆକସ୍ମିକ ଭାବେ ଟଳିପଡ଼ିଲେ । ଉପସ୍ଥିତ ଦର୍ଶକ କିଛି ଚିନ୍ତାକରିବା ବେଳକୁ ସେ ଆଉ ଦୁନିଆରେ ନଥିଲେ ।

ସୂଚନା ଅନୁସାରେ ମଙ୍ଗଳବାର ସଂଧ୍ୟାରେ ସ୍ଥାନୀୟ ମିଶନ କମ୍ୟୁନିଟି ହଲରେ ଏକ କାର୍ଯ୍ୟକ୍ରମ ଚାଲିଥିବାବେଳେ ବଲାଙ୍ଗିର କଲେଜ ଛକର ସୁଶୀଳା ତାଣ୍ଡିଙ୍କ ଏଭଳି ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି । ସୁଶିଳା ତାଣ୍ଡି ଦୀର୍ଘ ବର୍ଷ ଧରି ବିଭିନ୍ନ ସାମାଜିକ କାମରେ ଜଡିତ ଥିଲେ । ସ୍ୱାମୀ ଏବଂ ତାଙ୍କ ବଡ଼ ପୁଅଙ୍କର ମୃତ୍ୟୁ ପରେ ସେ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ଜୀବନ ଅତିବାହିତ କରୁଥିଲେ ।

ମଙ୍ଗଳବାର ସଂଧ୍ୟାରେ ଖ୍ରୀଷ୍ଟିଆନ ସମାଜ ପକ୍ଷରୁ ଏକ କାର୍ଯ୍ୟକ୍ରମ ଚାଲିଥିଲା । ତାଙ୍କୁ ଶ୍ରେଷ୍ଠ ସାମାଜିକ କର୍ମୀ ଭାନେ ଚୟନ କରାଯାଇଥିଲା । ସୁଶିଳା ମଧ୍ୟ ତାଙ୍କ ସାନ ପୁଅ ସହ ଉପସ୍ଥିତ ଥିଲେ । ପୁରସ୍କାର ଗ୍ରହଣ ପରେ ତାଙ୍କୁ କିଛି କହିବା ପାଇଁ କୁହାଯାଇଥିଲା । ହେଲେ କହିବା ବେଳେ ହୃଦଘାତ ହୋଇଥିଲା । ତୁରନ୍ତ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବରପାଲିପଡ଼ା ସ୍ଥିତ ସମାଧିସ୍ଥଳ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।