ମାଡ୍ରାସ ହାଇକୋର୍ଟଙ୍କ ଗରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ସମସ୍ତ ସ୍ପା ଓ ମାଲିସ କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ

132

କନକ ବ୍ୟୁରୋ : ଦେଶରେ ସ୍ପା ଓ ମାଲିସ କେନ୍ଦ୍ରରେ ଅନୈତିକ କାର୍ଯ୍ୟ ହେଉଥିବା ନେଇ ଅନେକ ସମୟରେ ଅଭିଯୋଗ ଆସୁଛି । ଏହାକୁ ନଜରରେ ରଖି ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏବେ ସମସ୍ତ ସ୍ପା ଓ ମାଲିସ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ହେବ । ଏହାସହ ପୋଲିସ କୌଣସି ସମୟରେ ବି ସ୍ପା ଓ ମାଲିସ କେନ୍ଦ୍ର ଯାଂଚ କରିପାରିବ । ଏନେଇ ତାମିଲନାଡୁ ଡିଜିପିଙ୍କୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ଇସିଆରରେ ଏକ ଆୟୁର୍ବେଦିକ ଥେରାପି କେନ୍ଦ୍ର ଚଳାଇଥିବା ସିପି ଗିରିଜାଙ୍କ ଆବେଦନକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି । ସିପି ଗିରିଜା କୋର୍ଟରେ ଆବେଦନ କରିଥିଲି କି ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚେନ୍ନାଇ ପୋଲିସ ବାରମ୍ବାର ହସ୍ତକ୍ଷେପ କରିବାରୁ ତାଙ୍କ ବ୍ୟବସାୟରେ ବ୍ୟାଘାତ ସୃଷ୍ଟି ହେଉଛି । ଏନେଇ ପୋଲିସ ହସ୍ତକ୍ଷେପରୁ ନିବୃତ୍ତ କରିବାକୁ ଗିରିଜା ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ ।

ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ ଏମ୍‌ ସୁବ୍ରମଣ୍ୟମ୍‌ ମାମଲାର ଶୁଣାଣି କାଳରେ କହିଥିଲେ ଯେ, ଡିଜିପି ଏହି ସ୍ପା, ମାଲିସ୍‌ ସେଣ୍ଟର ଏବଂ ଥେରାପି କେନ୍ଦ୍ରଗୁଡ଼ିକ ଯେପରି ସ୍ୱଚ୍ଛ ଢଙ୍ଗରେ ସେମାନଙ୍କର ବ୍ୟବସାୟିକ କାର୍ୟ୍ୟକଳାପ ପରିଚାଳନା କରୁଛନ୍ତି ତାହାକୁ ନିଶ୍ଚିତ କରିବେ ଏବଂ ନିଛାଟିଆ କିମ୍ବା ବନ୍ଦ କୋଠରୀରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଜାରି କରିବେ ଯାହା ବେଆଇନ କାର୍ୟ୍ୟକଳାପ ବନ୍ଦ ପାଇଁ ପଥ ପରିଷ୍କାର କରିବ।

ଅଦାଲତ କହିଛନ୍ତି ଯେ ଯେକୌଣସି ସମୟରେ ଏହି ସ୍ପା, ମାଲିସ୍‌ ସେଣ୍ଟର ଏବଂ ଥେରାପି କେନ୍ଦ୍ରଗୁଡ଼ିକ ଯାଞ୍ଚ କରିବାକୁ ପୁଲିସକୁ କ୍ଷମତା ଦିଆଯାଇଛି। ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଏହିପରି ସାର୍ବଜନୀନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ଦ୍ୱାରା ବେଆଇନ କାର୍ୟ୍ୟକଳାପକୁ ବହୁ ମାତ୍ରାରେ ରୋକା ଯାଇ ପାରିବ। ସ୍ପା କେନ୍ଦ୍ରଗୁଡିକ ସେମାନଙ୍କର ବ୍ୟବସାୟିକ କାର୍ୟ୍ୟକଳାପ ପରିଚାଳନା ପାଇଁ ନିଛାଟିଆ କିମ୍ବା ବନ୍ଦ କୋଠରୀରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ପାଇବା ପରେ କିମ୍ବା ପ୍ରାପ୍ତ ସୂଚନା ଆଧାରରେ ଏହିପରି କେନ୍ଦ୍ରରେ କୌଣସି ବେଆଇନ କାର୍ୟ୍ୟକଳାପ ବିରୋଧରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମଧ୍ୟ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।