ଓଡିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବା ନେଇ ପୁଣି ଦମ୍ଭ ଦେଖାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

1,369

କନକ ବ୍ୟୁରୋ: ANIକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଆପଣ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କି ? ପ୍ରଶ୍ନରେ ଉତ୍ତର ରଖିଲେ ଧର୍ମେନ୍ଦ୍ର । କହିଲେ- ମୁଁ ଲୋକସଭା ନିର୍ବାଚନ ଲଢିଛି । କିନ୍ତୁ ମୁଁ ନିଶ୍ଚିତ ଯେ, ସ୍ପଷ୍ଟ ବହୁମତ ସହ ଏଥର ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେବାକୁ ଯାଉଛି । ଜଣେ ଓଡିଆ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବେ କିନ୍ତୁ ଦଳ ନିଷ୍ପତ୍ତି ନେବ କଣ ହେବ । ମୁଁ ଦଳର ଜଣେ ସାଧାରଣ କର୍ମକର୍ତ୍ତା, ଦଳରେ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି । କିଏ ବି ହୋଇ ପାରିବେ ।

ସାକ୍ଷାତକାରରେ ପୁଣି ଦମ୍ଭ ଦେଖାଇଲେ ଧର୍ମେନ୍ଦ୍ର । କହିଲେ ୨୦୧୪ରେ ଆମେ ଓଡିଶାରେ ୩ ନଂରେ ଥିଲୁ, ୨୦୧୯ରେ ୨ ନଂକୁ ଆସିଲୁ ଆଉ ଏଥର ଆମେ ଓଡିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବୁ । ବହୁମତ ସହ ଏଠାରେ ସେବା କରିବାର ସୁଯୋଗ ପାଇବୁ । ବିକାଶ ଓ ଅସ୍ମିତା ପ୍ରସଙ୍ଗ ଲୋକଙ୍କ ମନରେ ଛାଇ ଯାଇଛି । ମୋଦି ଜନତାଙ୍କୁ ଅପିଲ୍ କରିଛନ୍ତି ଆଉ ଲୋକେ ବି ସ୍ଥିର କରି ସାରିଛନ୍ତି ଏଥର ବିଜେପି । ରାହୁଲଙ୍କ ଓଡିଶା ଗସ୍ତ ବେଳେ ମନ୍ତବ୍ୟ ନେଇ ବର୍ଷିଲେ ଧର୍ମେନ୍ଦ୍ର । କହିଲେ, ରାହୁଲଙ୍କୁ ମୋଦି ଫୋବିଆ ହୋଇଯାଇଛି । ରାହୁଲ କଣ କହୁଛନ୍ତି ତାଙ୍କୁ ଜଣାନାହିଁ । ତାଙ୍କ ସ୍କ୍ରିପ୍ଟ ବଦଳିଯାଇଛି ।