ସୁଧୁରୁଛି କାଶ୍ମୀରର ପରିସ୍ଥିତି : ୧୪୪ ଧାରା ହଟିବା ପରେ ଜୀବନ ଯାତ୍ରା ହେଉଛି ସ୍ୱାଭାବିକ, ସେପଟେ ସୁରକ୍ଷା ଦୃଷ୍ଟିରୁ ଜେଲରୁ ବନ୍ଦୀକୁ ସ୍ଥାନାନ୍ତର କରୁଛନ୍ତି ସରକାର 

179

କନକ ବ୍ୟୁରୋ : ଧୀରେ ଧୀରେ ଜମ୍ମୁକାଶ୍ମୀରର ସ୍ଥିତିରେ ସୁଧାର ଆସୁଛି । ଜୀବନଯାତ୍ରା ସ୍ୱାଭାବିକ ହେଉଛି । ଜମ୍ମୁ କାଶ୍ମୀରରୁ କ୍ରମାଗତ ବନ୍ଦୀ ମାନଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଉଛି । ଗତାକାଲି ଜମ୍ମୁ କାଶ୍ମୀରରୁ ୨୪ ଜଣ କଏଦୀଙ୍କୁ ଲକ୍ଷ୍ନୌ ଜେଲକୁ ନିଆଯାଇଛି । ତେବେ ସୁରକ୍ଷା କାରଣରୁ ସେମାନଙ୍କ ବିଷୟର କୌଣସି ତଥ୍ୟ ଦିଆଯାଇନାହିଁ ବୋଲି କୁହାଯାଇଛି । ଏହା ପୂର୍ବରୁ ଗତ ଗୁରୁବାର ଦିନ ୭୦ ଜଣ ଓ ଶୁକ୍ରବାର ୨୦ ଜଣ ବନ୍ଦୀଙ୍କୁ ଜମ୍ମୁ କାଶ୍ମୀର ଜେଲରୁ ଆଗ୍ରା ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରେ କେତେଜଣ ଭୟଙ୍କର ଆତଙ୍କବାଦୀ ଥିବା ସୂଚନା ମିଳିଛି । ଶୁକ୍ରବାର ଅଣାଯାଇଥିବା ୨୦ କଏଦୀରେ ଆତଙ୍କବାଦୀ ଥିବା କୁହାଯାଉଥିବା ବେଳେ ସେମାନଙ୍କୁ ଆକାଶ ପଥରେ ଆଗ୍ରା ଅଣାଯାଇଥିଲା ।

ସେପଟେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ଚ୍ୟାଲେଂଜ କରିଛି ନାସନାଲ କନଫରେନ୍ସ । ଧାରା ୩୭୦ ଉଚ୍ଛେଦ ଏବଂ ଜମ୍ମୁ କାଶ୍ମୀର ପୁନର୍ଗଠନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଓମାର ଅବଦ୍ଦୁଲାଙ୍କ ପାର୍ଟି । ସରକାରଙ୍କ ନିଷ୍ପତି ସମ୍ବିଧାନ ବିରୋଧୀ ବୋଲି ଦଳ ଯୁକ୍ତି କରିଛି । ସେପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜମ୍ମୁ କାଶ୍ମୀରର ବିଭିନ୍ନ ଅଂଚଳ ବୁଲି ସ୍ଥିତି ପରଖୁଛନ୍ତି । ଏହାରି ଭିତରେ ଘାଟିରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ।

ଅନ୍ୟପଟେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଅବସରରେ ରାହୁଲ ଗାନ୍ଧୀ କାଶ୍ମୀର ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି କାଶ୍ମୀର ସ୍ଥିତି ବର୍ତମାନ ଗମ୍ଭୀର ରହିଛି । ଘାଟିରେ କଣ ଚାଲିଛି ସେ ସଂପର୍କରେ ପ୍ରଧାନମନ୍ତ୍ରୀ ଜନତାଙ୍କ ଆଗରେ ରଖନ୍ତୁ ବୋଲି ରାହୁଲ ଦାବି କରିଛନ୍ତି । କଂଗ୍ରେସ ଭବନରେ ଚାଲିଥିବା ବୈଠକରୁ ବାହାରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ ।