ପ୍ରଚାରକୁ ଓହ୍ଳାଇଲେ ବିବାଦରେ ଫସିଥିବା ମନ୍ତ୍ରୀ । ଜୁନାଗଡ ନିର୍ବାଚନ ମଣ୍ଡଳୀରେ ପ୍ରଚାରର ମଙ୍ଗ ଧରିଲେ ଦିବ୍ୟଶଙ୍କର ମିଶ୍ର

124

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଛି ଗାଁ ରାଜନୀତି । ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିବାଦରେ ଫସିଥିବା ଦୁଇ ଜଣ ମନ୍ତ୍ରୀ । ଜଣେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ଅନ୍ୟ ଜଣକ ହେଉଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଜଣେ ସରକାରୀ ଅଧିକାରୀଙ୍କୁ ମାଡ ମାରି ଆଉ ଜଣେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲର ଶିକ୍ଷୟିତ୍ରୀଙ୍କ ହତ୍ୟା ମାମଲାରେ ବିବାଦୀୟ ହୋଇପଡିଛନ୍ତି । ଆଉ ଏହି ବିବାଦୀୟ ନେତାଙ୍କ ପ୍ରଚାରର ପ୍ରଭାବ କଣ ହେବ ତାକୁ ନେଇ ଚର୍ଚ୍ଚା ହେଉଛି ।

ବିଜେପି ପ୍ରାର୍ଥୀଙ୍କ ପାଇଁ ବାରିପଦା ନିର୍ବାଚନ ମଣ୍ଡଳିରେ ପ୍ରଚାର ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ସରକାରୀ ଅଧିକାରୀଙ୍କୁ ମାଡ ଦେବା ମାମଲାରେ ଗିରଫଦାରି ଏଡାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ମନ୍ତ୍ରୀ । କିନ୍ତୁ ଏହା ତାଙ୍କୁ ଭୋଟରଙ୍କ ପାଖକୁ ଆସିବାକୁ ରୋକି ପାରି ନାହିଁ । ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ପାଖକୁ ଯାଇ ଭୋଟ ଦେବାକୁ ନିବେଦନ କରୁଛନ୍ତି । ଗିରଫଦାରି ନେଇ ପ୍ରଶ୍ନ କରିବାକୁ ମନ୍ତ୍ରୀ କହିଛନ୍ତି, ପୁଲିସ ଗିରଫ କରିଥିଲେ, ପ୍ରଚାର କରିବାକୁ ପଡିନଥାନ୍ତା, ୫୬ ଜିଲ୍ଲାପରିଷଦ ଆସନରୁ ୫୬ ଆସନରେ ବିଜେପି ବାଜିମାତ କରିଥାନ୍ତା ।

ସେପଟେ ମମିତା ମେହେର ମାମଲାରେ ବିବାଦୀୟ ହୋଇପଡିଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲା ଜୁନାଗଡ ନିର୍ବାଚନ ମଣ୍ଡଳୀରେ ପ୍ରଚାରର ମଙ୍ଗ ଧରିଛନ୍ତି । ନବୀନ ସରକାରଙ୍କ ବିକାଶ କାମକୁ ନେଇ ସେ ଲୋକଙ୍କ ପାଖକୁ ଯାଉଛନ୍ତି । ସେପଟେ ସ୍ଥାନୀୟ ସମସ୍ୟା ଓ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗକୁ ପ୍ରସଙ୍ଗ କରିଛନ୍ତି ବିରୋଧୀ । ତେବେ ପ୍ରଶ୍ନ ଉଠୁଛି ବିବାଦୀୟ ନେତାଙ୍କ ପ୍ରଚାର ଭୋଟରଙ୍କ ଉପରେ କଣ ପ୍ରଭାବ ପକାଇବ? ଏବଂ ଏମାନଙ୍କୁ ପ୍ରଚାର ମଙ୍ଗ ଧରାଇ କଣ ସଙ୍କେତ ଦେଉଛନ୍ତି ରାଜନୈତିକ ଦଳ ?