ଝାଳ ବୁହାଇ ଅଦା ଅମଳ କରିଥିଲେ ଚାଷୀ । ହେଲେ ମିଳୁନି ଦାମ, କିଲୋ ୫ ଟଙ୍କାରେ ହେଉଛି ବିକ୍ରି ।

518

କନକ ବ୍ୟୁରୋ : ଅଦା କିଲୋ ୫ ଟଙ୍କା । ଶୁଣିଲେ ଆର୍ଶ୍ଚଯ୍ୟ ଲଗୁଥିଲେ ବି କଥା ଟି ସତ । ଚିନ୍ତାରେ ଅଦା ଚାଷୀ । କେଉଁଠି ଜମିରୁ ବାହାରି ପାରୁନି ଅଦା । ତ କେଉଁଠି ଗୋଦାମ ଘରେ ଜମା ହୋଇ ପଡ଼ିରହିଛି ଶହ ଶହ କି୍ୱଂଟାଲ ଅଦା । ରାଜ୍ୟ ତଥା ରାଜ୍ୟ ବାହାରକୁ ଅଦା ଯୋଗାଉଥିବା ଚାଷୀ ଏବେ ନିଜ ପେଟ ପାଇଁ ଆହାର ଖୋଜୁଛି ।

ଅଦାର ଅଭାବି ବିକ୍ରି । ଅଦା କିଲୋକୁ ୫ ଟଙ୍କା, କିଣିବାକୁ କେହି ନାହିଁ । କୋରାପୁଟ ଜିଲ୍ଲାରେ ଯେଉଁ ଅଦା କିଲୋ ପିଛା ୫୦ ରୁ ୬୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ବଜାରରେ କେଜିକୁ ୫ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ନେବା ପାଇଁ ଗ୍ରାହକ ନାହାନ୍ତି । ଅଦାର ଅଭାବି ବିକ୍ରି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ବିକ୍ରି ହେଉନଥିବାରୁ ଚାଷୀ ଅଦା ଅମଳ କରୁନାହାନ୍ତି, ଅନ୍ୟପଟେ ଅମଳ ହୋଇଥିବା ବସ୍ତା ବସ୍ତା ଅଦା ଘରେ ପଡି ରହିଛି । ସେପଟେ କର୍ଣ୍ଣାଟକରୁ କୋରାପୁଟ ବଜାରକୁ ଅଦା ଆସୁଥିବାରୁ ଅଞ୍ଚଳରେ ଉତ୍ପାଦିତ ଅଦା ବିକ୍ରି ହୋଇପାରୁନଥିବା କହିଛନ୍ତି ଚାଷୀ ।

ଅର୍ଥକାରୀ ଫସଲ ଭାବେ ଅଦା ଚାଷ କରୁଥିଲେ ପଟାଙ୍ଗୀ, ନନ୍ଦପୁର, ଲମତାପୁଟ ବ୍ଳକର ଚାଷୀ । ବର୍ଷକୁ ୫୦ରୁ ୬୦ ହଜାର ଟନ୍ ଅଦା ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନି କରି ଭଲ ରୋଜଗାର ମଧ୍ୟ କରୁଥିଲେ । କିନ୍ତୁ ଗତ ୨ ବର୍ଷ ହେଲା ସମସ୍ୟା ଦେଖା ଦେଇଛି । ଗୋଟିଏ ପଟେ ବଜାରକୁ କର୍ଣ୍ଣାଟକରୁ ଅଦା ଆସୁଛି, ଅନ୍ୟପଟେ ଅମଳ ଅଦାକୁ ସରଂକ୍ଷିତ କରି ରଖିବା ପାଇଁ ଜିଲ୍ଳାରେ ଶୀତଳଭଣ୍ଡାରର ସୁବିଧା ନାହିଁ । ତେଣୁ ଚାଷୀ ଅଭାବି ବିକ୍ରିର ଶିକାର ହେଉଥିବା କହିଛନ୍ତି ।

ଜୀବନ ଜୀବିକାର ଦୋ ଛକିରେ କୋରାପୁଟର ଅଦା ଚାଷୀ । ନା ବିକ୍ରି ହେଉଛି ଅଦା- ନା ସଂରକ୍ଷଣ କରି ରଖି ହେଉଛି । ତେଣୁ ସରକାର ଶୀତଳଭଣ୍ଡାର ଟିଏ କଲେ ଅଦା ଚାଷୀ ଲାଭବାନ ହେବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ରାଜସ୍ୱ ମିଳିପାରନ୍ତା ।