ମୋଦୀ ଓ ନବୀନଙ୍କ ବ୍ୟକ୍ତିତ୍ୱ ଅଲଗା ଓ କାର୍ଯ୍ୟ କରିବା ପଦ୍ଧତି ଭିନ୍ନ । ଆଗକୁ ଓଡ଼ିଶାରେ ହେବ ଡବଲ୍ ଇଞ୍ଜିନ୍ ସରକାର । ପଢନ୍ତୁ, କଣ କହିଲେ ରେଳମନ୍ତ୍ରୀ?

263

କନକ ବ୍ୟୁରୋ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଧାନମନ୍ତ୍ରୀ ମୋଦୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଉପରେ ଟିପ୍ପଣୀ କରି କହିଛନ୍ତି, ଉଭୟଙ୍କର ବ୍ୟକ୍ତିତ୍ୱ ଅଲଗା ଏବଂ କାର୍ଯ୍ୟ କରିବାର ଶୈଳୀ ବି ଅଲଗା । କନକ ନ୍ୟୁଜକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଆମର ଏକ ପ୍ରଶ୍ନ ଥିଲା, କେଉଁ ପରିସ୍ଥିତିରେ ବିଜେଡି ଓ ବିଜେପି ଉଭୟେ ମିଶି ତାଙ୍କୁ ରାଜ୍ୟସଭା ପଠାଇଥିଲେ । ତେବେ ପଢନ୍ତୁ, ଏହାର ଉତ୍ତର ରଖି କଣ କହିଥିଲେ ବୈଷ୍ଣବ?

ସମସ୍ତଙ୍କର କିଛି ଶକ୍ତି ରହିଥାଏ ଓ କିଛି ଦୁର୍ବଳତା । ଆମେ ସମସ୍ତେ ଏକାଠି ହୋଇ ଦେଶର ଉନ୍ନତି ପାଇଁ କାମ କରିବା ଦରକାର  । ଏହାସହ ଆଗାମୀ ଦିନରେ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ  ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀକୁ ନେଇ ଏଭଳି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କନକ ନ୍ୟୁଜକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଆତ୍ମନିର୍ଭର ବଜେଟ ଉପରେ ଜନସାଧାରଣଙ୍କୁ ସୂଚନା ଦେବା ପାଇଁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟକୁ ଗସ୍ତ କରୁଛନ୍ତି ।  ଏହି ପରିପ୍ରେକ୍ଷୀରେ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନି କରି ରାଜ୍ୟକୁ ମିଳିଥିବା ଅନୁଦାନ ବାବଦରେ ତଥ୍ୟ ରଖିଛନ୍ତି  । ରେଳବାଇ କ୍ଷେତ୍ରରେ  ମୋଦୀ ସରକାର ଆସିବା ପରେ ୧୦ ଗୁଣା ଅଧିକ ଅର୍ଥ ମିଳିଛି  । ସେହିଭଳି ଟେଲିକମ କ୍ଷେତ୍ରରେ ମଧ୍ୟ ଦେଶରେ ଖୁବଶୀଘ୍ର ୫-ଜି ନେଟୱର୍କ ଆରମ୍ଭ ହେବାର ଅଛି  । ଚାଷୀ ଗରିବକୁ ଘର, ପାନୀୟ ଜଳ ରୋଜଗାର ଭଳି କ୍ଷେତ୍ରରେ ଏହି ବଜେଟରେ ରେକର୍ଡ ଅନୁଦାନ ଦିଆଯାଇଛି ବୋଲି କହିଛନ୍ତି ଅଶ୍ୱିନୀ ।

ପରସ୍ପର ବିରୋଧୀ ବିଜେଡି ଓ ବିଜେପିର ସମର୍ଥନରେ ରାଜ୍ୟସଭା ଯାଇ ମନ୍ତ୍ରୀ ହୋଇଛନ୍ତି ଅଶ୍ୱିନୀ ବୈଷ୍ଣବ । ରାଜ୍ୟରେ ଦୁଇଦଳ ପ୍ରତ୍ୟେକ କ୍ଷେତ୍ରରେ ମୁହାଁମୁହିଁ ହେଉଥିବାବେଳେ ଅଶ୍ୱିନୀଙ୍କ କ୍ଷେତ୍ରରେ କିଭଳି ଏକାଠି ହେଲେ ପ୍ରଶ୍ନକୁ ଅତି ଚତୁରତାର ସହ ଏଡାଇ ଯାଇଛନ୍ତି   । ମହାପ୍ରଭୁ ଜଗନ୍ନାଥଙ୍କ ଲୀଳାକୁ କିଏ ବୁଝିପାରେ ବୋଲି ସ୍ମିତହାସ୍ୟ ଦେଇ କହିଛନ୍ତି ଅଶ୍ୱିନୀ ବୈଷ୍ଣବ  ।