ଚାଲିଥିଲା ବାହାଘର: ପୁଲିସ ଉଠାଇ ନେଲା ବର

318

କନକ ବ୍ୟୁରୋ: ମନ୍ଦିରରେ ଚାଲିଥିଲା ବାହାଘର । ବେଦୀରେ ବସିଥିଲେ କନିଆଁ ଆଉ ବର । ହାତଗଣ୍ଠି ପଡି ସାରିଥିଲା । ହଠାତ ବେଦୀ ପାଖରେ ପହଂଚିଲେ ବରଙ୍କ ପ୍ରଥମ ସ୍ତ୍ରୀ ଦାବି କରୁଥିବା ମହିଳା । ବେଦୀରୁ ଉଠିବାକୁ କହି ବରର ହାତକୁ ଧରି ଘୋଷାଡିବା ଆରମ୍ଭ କଲେ । ବର କିନ୍ତୁ କନିଆଂଙ୍କ ହାତ ଛାଡିବାକୁ ନାରାଜ । ପାଟିତୁଣ୍ଡ, ଗଣ୍ଡଗୋଳ । ଅଧାରେ ରହିଥିଲା ବରଯାତ୍ରୀଙ୍କ ଭୋଜି ଖିଆ । କିଏ ସତ କହୁଛି ଆଉ କିଏ ସତ କହୁନି- ତାକୁ ନେଇ ଆରମ୍ଭ ହୋଇଥିଲା କାଗଜପତ୍ର୍ ଦେଖାଦେଖି । ଏହାରି ଭିତରେ ଘଟଣାସ୍ଥଳରେ ପହଂଚିଥିଲା ପୁଲିସ । ପୁୁଲିସ ପହଂଚି ବାହାଘର ବନ୍ଦ କରିବା ସହ ବରକୁ ଥାନାକୁ ଉଠାଇ ଆଣିଥିଲା । ପିସିଆର ଭ୍ୟାନରେ ବରକୁ ବସାଇ ସାରିବା ପରେ, କନିଆଁକୁ ବି ପିସିଆର ଭ୍ୟାନରେ ବସାଇବାକୁ ଯିବା ବେଳେ, ପୁଣି ପାଟିତୁଣ୍ଡ ହୋଇଥିଲା । ବର ଥାନାକୁ ଆସିଥିଲେ କିନ୍ତୁ କନିଆଁ ସେହି ମନ୍ଦିରକୁ ପୁଣି ଫେରି ଯାଇଥିଲେ ।

ବରଙ୍କ ପତ୍ନୀ ଦାବି କରୁଥିବା ମହିଳାଙ୍କ ଅଭିଯୋଗ ତାଙ୍କର ପୂର୍ବରୁ ବିବାହ ସରିଛି । କୋଲକାତାରେ ପୁର୍ବରୁ ଉଭୟଙ୍କୁ ବିବାହ କରିଥିବା ନେଇ କୋର୍ଟରେ ପ୍ରମାଣ ମଦ୍ୟ ରହିଥିବା ସେ ଗଣ ମାଧ୍ୟମକୁ ଦେଖାଇଛନ୍ତି । ବର ପକ୍ଷ କହିଛନ୍ତି ବିବାହ ପାଇଁ କୋର୍ଟଙ୍କ ଅନୁମତି ବି ଆଣିଛନ୍ତି । ସେପଟେ ମହିଳା ଓ ବର ପକ୍ଷଙ୍କ ଅଭିଯୋଗ ଏବଂ କୋର୍ଟରେ ଚାଲିଥିବା ମକଦମାର ତର୍ଜମା କରି କ୍ୟାପିଟାଲ ପୁଲିସ ଏହାକୁ ମହିଳା ଥାନାକୁ ହସ୍ତାନ୍ତର କରିଛି ।

ବାହା ବେଦୀରୁ ବରକୁ ପିସିଆଇ ଭ୍ୟାନ ଉଠାଇ ନେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କିଏ ସତ କହୁଛି ଆଉ କିଏ ସତ କହୁନି ତାହା କେବଳ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।