ଦିଲ୍ଲୀ ଜେଏନୟୁରେ ଗୋଷ୍ଠୀ କନ୍ଦଳ । ବିଳମ୍ବିତ ରାତିରେ ଏବିଭିପି ଏବଂ ବାମପନ୍ଥୀ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍

132

କନକ ବ୍ୟୁରୋ : ଛାତ୍ର ପିଟୁଛି ଛାତ୍ରଙ୍କୁ । କାହା ଉପରେ କିଏ ବାଡିରେ ପ୍ରହାର କରୁଛି ତ ପୁଣି କିଏ ରକ୍ତାକ୍ତ ଅବସ୍ଥାରେ ପଡି ରହିଛି । କେଉଁଠି ଉତ୍ୟେକ୍ତ ଛାତ୍ର ଅନ୍ୟମାନଙ୍କ ଉପରେ ସାଇକେଲ ଫିଙ୍ଗୁଛି ତ ପୁଣି କେଉଁଠି ହୋହାଲ୍ଲା ପାଟିତୁଣ୍ଡରେ କମ୍ପୁଛି ପୂରା କ୍ୟାମ୍ପସ । ଗୁରୁବାର ସ୍କୁଲ ଅଫ୍ ଲାଙ୍ଗୁଏଜର ନିର୍ବାଚନ ସମିତି ଚୟନକୁ ନେଇ ଚାଲିଥାଏ ବୈଠକ । ହଠାତ ଏବିଭିପି ଏବଂ ବାମପନ୍ଥୀ ସମର୍ଥିତ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ହୁଏ ଯୁକ୍ତିତର୍କ କଥାକଟାକଟି । ଦେଖୁ ଦେଖୁ ଝିମିଟି ଖେଳରୁ ମହାଭାରତ ପରି ଆରମ୍ଭ ହୋଇଥିଲା ସଂର୍ଘଷ । ମାଡପିଟ, ଚେୟାର ଫିଙ୍ଗାଫିଙ୍ଗିରେ ହୁଲୁସ୍ତୁଲୁ ହେବାରେ ଲାଗିଥିଲା ବିଶ୍ୱବିଦ୍ୟାଳୟ ପରିସର । ମୁହାଁମୁହିଁ ହୋଇଥିଲେ ଏବିଭିପି ଏବଂ ବାମପନ୍ଥୀ ସମର୍ଥିତ ଛାତ୍ର ଗୋଷ୍ଠୀ । ଉଭୟ ପକ୍ଷ ଭିତରେ ମାରପିଟ୍ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ଆକ୍ରମଣରେ ଅନେକ ଛାତ୍ର ଆହତ ହୋଇଛନ୍ତି । ସ୍କୁଲ ଅଫ୍ ଲାଙ୍ଗୁଏଜର ନିର୍ବାଚନ ସମିତି ଚୟନକୁ ନେଇ ବିବାଦ ଉପୁଜିଥିବା ଜଣାପଡିଛି ।

ଏବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କୁଳପତି । ସେହିପରି ଦିଲ୍ଲୀ ପୋଲିସ କହିଛି ଉଭୟ ପକ୍ଷ ଅଭିଯୋଗ କରିଛନ୍ତି । ଘଟଣାରେ ତିନି ଜଣ ଆହତ ହୋଇଥିବା ବେଳେ ଅଧିକ ଅନୁସନ୍ଧାନ ଜାରି ରହିଛି । ଏହାପୂର୍ବରୁ ଫେବୃଆରୀ ୧୦ରେ ବିବାଦ ଉପୁଜିଥିଲା ।

୪ବର୍ଷ ପରେ ଜେଏନୟୁରେ ଛାତ୍ରସଂଘ ନିର୍ବାଚନ ହେବାକୁ ଯାଉଛି । ପ୍ରାକ ପ୍ରସ୍ତୁତିରେ ଏଭଳି ଗଣ୍ଡଗୋଳ ପରେ ପ୍ରଶ୍ନ ଉଠୁଛି କିଭଳି ସୁରକ୍ଷିତ ଓ ଶୃଖଂଳିତଭାବେ ନିର୍ବାଚନର ଆୟୋଜନ କରାଯିବ ।