ବାଲେଶ୍ୱର ରଘୁନାଥପୁରରେ ମାଙ୍କଡ଼ ଆତଙ୍କ । ୫୦ରୁ ଅଧିକ ମାଙ୍କଡ଼ ଗାଁରେ ଲୋକଙ୍କୁ କଲେଣି ଘାଇଲା, ୧୫ ଜଣ ଗୁରୁତର

79

କନକ ବ୍ୟୁରୋ: ବାଲେଶ୍ୱର ସିଂଲା ଥାନା ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତରେ ମାଙ୍କଡ଼ ଆତଙ୍କ । ମାଙ୍କଡ଼ ଆକ୍ରମଣରେ ୧୫ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ କିଛି ଦିନ ହେଲା ରଘୁନାଥପୁର ପଞ୍ଚାୟତର ସାନଅସ୍ତୀ, କୁଙ୍କୁଡ଼ି, ମଠକୁଙ୍କୁଡ଼ି ଓ ପାଳସାହି ଗାଁରେ ୫୦ରୁ ଅଧିକ ମାଙ୍କଡ଼ ପଶି ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଲୋକମାନେ ଭୟରେ କାମଧନ୍ଦା ପାଇଁ ବାହାରକୁ ଯାଇପାରୁନଥିବା ବେଳେ ପିଲାମାନେ ମଧ୍ୟ ପାଠ ପଢ଼ିବାକୁ ବାହାରକୁ ଯାଇପାରୁନାହାନ୍ତି । ଜରୁରୀ କାମରେ ହାଟ ଓ ବଜାରକୁ ଯିବାକୁ ହେଲେ ହାତରେ ଠେଙ୍ଗାବାଡ଼ି ଧରି ଯିବାକୁ ପଡ଼ୁଛି । ଗାଁ ଲୋକଙ୍କ କହିବା ଅନୁସାରେ ମାଙ୍କଡ଼ ପଲଙ୍କ ଭିତରେ କିଛି ପାଗଳ ମାଙ୍କଡ଼ ଅଛନ୍ତି । ସେମାନେ ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡ଼ୁଛନ୍ତି । କିଛି ଲୋକ ଗୁରୁତର ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଆଉ କିଛି ଲୋକ କଟକ ଓ ଭୁବନେଶ୍ୱରରେ ଚିକିତ୍ସାଧିନ ଅଛନ୍ତି । ବନବିଭାଗକୁ ଜଣାଇବା ପରେ ସ୍ୱତନ୍ତ୍ର ଟିମ୍ ଗାଁରେ ପହଂଚି କିଛି ମାଙ୍କଡ଼ଙ୍କୁ କାବୁ କରିଛି । ଆଉ କିଛି ମାଙ୍କଡ଼ଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । କୁଳଡ଼ିହା ଅଭୟାରଣ୍ୟର ମାଙ୍କଡ଼ ଧରାଳି ମାଙ୍କଡ଼ ଧରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ସିମିଳିପାଳରୁ ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ଡେରା ପକାଇଛନ୍ତି ।