ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି: ରାଜ୍ୟ ସରକାରଙ୍କୁ ଦାୟୀ କଲେ ପଶ୍ଚିମ ଓଡ଼ିଶାର ବିଜେପି ସାଂସଦ 

112

କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟ ବେଂଚ୍ ସ୍ଥାପନ ଉପରେ ସୁପ୍ରିମକୋର୍ଟଙ୍କ ନାଲିଗାର ପଡ଼ିବା ପରେ, ସମସ୍ତଙ୍କର ନଜର ଥିଲା, ଏହି ଦାବି କେଉଁ ରୁପରେ ସାମ୍ନାକୁ ଆସିବ । ଆଇନଜୀବୀ-ହାଇକୋର୍ଟ- ସୁପ୍ରିମକୋର୍ଟ, ଏହି ୩ଟି ବିନ୍ଦୁରେ ପ୍ରାୟ ୫୦ ବର୍ଷ ଧରି ଘୁରି ବୁଲୁଥିବା ଏହି ଆନ୍ଦୋଳନରେ ଏବେ, ପୁଣି ଥରେ ଧସେଇ ପଶିଛି ରାଜନୀତି । ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବିଜେପି ସାଂସଦମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି-

ହାଇକୋର୍ଟ ବେଂଚ ସ୍ଥାପନ ନେଇ କେନ୍ଦ୍ର ଆଇନମନ୍ତ୍ରୀ ସମସ୍ତ ସହଯୋଗ କରିବାକୁ ରାଜି ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅନାଗ୍ରହ ଯୋଗୁଁ ସମସ୍ୟାର ସମାଧାନ ହୋଇପାରୁନାହିଁ । ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ରାଜ୍ୟପାଳଙ୍କ ସହ ପରାମର୍ଶ କରି ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ଆଇନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । କେଉଁ ସ୍ଥାନରେ ବେଂଚ ଗଠନ ହେବ, ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ରିପୋର୍ଟ ଦେବାକୁ କୁହାଯାଇଥିଲା । ହେଲେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ସମ୍ବଲପୁରରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି, ବୋଲି ବିଜେପି ସାଂସଦମାନେ ଅଭିଯୋଗ କରିଛନ୍ତି ।

ସେହିପରି ଗିରଫ ଆଇନଜୀବୀଙ୍କୁ ଛାଡ଼ିବା ଦିଗରେ ପଦକ୍ଷେପ ନେବା ସହ ଲାଇସେନ୍ସ ଫେରାଇ ଦେବା ପାଇଁ ବାର କାଉନସିଲ ଅଫ୍ ଇଣ୍ଡିଆ ସହ କଥା ହେବାକୁ ଦାବି କରିଛନ୍ତି ବିଜେପି ସାଂସଦ । ଏପଟେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି- ହାଇକୋର୍ଟ ହେବ ନା ନାହିଁ ରାଜ୍ୟ ସରକାର ନିଷ୍ପତି ନେବେ ଏବଂ କେନ୍ଦ୍ରକୁ ସୁପାରିଶ କରିବେ । ବିଜେପି ସାଂସଦଙ୍କ ଚିଠି ପ୍ରସଙ୍ଗରେ କହିଛନ୍ତି-ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ବଦଳରେ କେନ୍ଦ୍ରକୁ ଚିଠି ଲେଖିବା କଥା । ଏସବୁ ଭିତରେ ବିଜେପି ଓ ବିଜେଡି ଆଣୁଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି ।

ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ହାଇକୋର୍ଟ ବେଂଚ ସ୍ଥାପନ ନେଇ ଥିବା ଅବଶିଷ୍ଟ ବିକଳ୍ପ ନେଇ ମନ୍ଥନ ଆରମ୍ଭ କରି ଦେଇଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । କମିଟିର ଆବାହକ କହିଛନ୍ତି- ସମ୍ବିଧାନିକ ବେଂଚରେ ମାମଲାର ପୁନଃବିଚାର ପାଇଁ ଆବେଦନ କରାଯିବ ।

ଆଇନଜୀବୀ ସଙ୍ଗଠନ ଗୁଡ଼ିକ ବିକଳ୍ପ ବାଟ ଖୋଜୁଥିବା ବେଳେ ବିଜେପି-ବିଜେପିର ଆରୋପ-ପ୍ରତ୍ୟାରୋପ ତୀବ୍ର ହୋଇଛି । ଏସବୁ ଦେଖିଲା ବେଳେ ଲାଗୁଛି, ହାଇକୋର୍ଟ ବେଂଚ ଦାବିର ଲଢ଼େଇ ହୁଏତ, ଆହୁରି ଲମ୍ବା ଚାଲିବ ।