ବଢୁଛି ଓମିକ୍ରନ୍ ଭୟ । ମୁକାବିଲା ନେଇ ରାଜ୍ୟ ସରକାରଙ୍କ ୫ ସୂତ୍ରୀ ଫର୍ମୁଲା । ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଲେ ସରକାର

323

କନକ ବ୍ୟୁରୋ: ଗତକାଲି ରାଜ୍ୟରେ ଦୁଇ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର । ସଂକ୍ରମଣର ସ୍ଥିତିକୁ ନେଇ ଜିଲ୍ଲାପାଳ କଟକଣା ଲଗାଇ ପାରିବେ ବୋଲି ଦାୟିତ୍ୱ ଦେଇଛନ୍ତି ସରକାର । ଜିଲ୍ଲାପାଳ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେଇ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । କେମିତି କରୋନାର ଏହି ନୂଆ ପ୍ରଜାତିର ମୁକାବିଲା କରାଯିବ, ସେ ନେଇ ୫ ସୂତ୍ରୀ ଫର୍ମୁଲା ଗ୍ରହଣ କରାଯାଇଛି ।

  • ସ୍ଥିତି ଦେଖି ଜିଲ୍ଲାପାଳ ଓ ମୁନିସିପାଲ କମିସନର କଟକଣା ନିଷ୍ପତି ନେବେ
  • ସବୁ ସ୍ତରରେ ସର୍ଭିଲାନ୍ସ ବଢ଼ାଯିବ
  • ବାକିଥିବା ଲୋକଙ୍କ ଟିକାକରଣ ତୁରନ୍ତ ସାରିବାକୁ ନିର୍ଦ୍ଦେଶ
  • ଭାଇରସ୍ ଲୋଡ୍ ଅଧିକ ଥିଲେ ଜିନୋମ ସିକ୍ୱେନ୍ସିଂ କରାଯିବ
  • ସ୍କୁଲ ଓ କଲେଜ୍ ହଷ୍ଟେଲରେ ପିଲାଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇଲେ, ଟେଷ୍ଟ କରିବା ସହ ସଙ୍ଗରୋଧରେ ରଖାଯିବ

ଅନ୍ୟପଟେ ଓମିକ୍ରନ ଅଧିକ ସଂକ୍ରାମକ ହୋଇଥିବାରୁ ନୂଆବର୍ଷରେ ସ୍ୱତନ୍ତ୍ର ଗାଇଡଲାଇନ ନେଇ ସରକାର ବିଚାର ବିମର୍ଶ କରୁଛନ୍ତି । କରୋନା ନିୟମ ପାଳନ କରିବା ସହିତ ସଚେତନ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମାସ୍କ ପିନ୍ଧିବା ଏବଂ ଦରକାର ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ନବୀନ ।

  • ଦେଶରେ ଦିନକୁ ଦିନ ବଢୁଛି ଓମିକ୍ରନ ସଂକ୍ରମଣ
  • ସ୍କୁଲ ବନ୍ଦ କରିବା ଉପରେ ବିଚାର କରୁଛି ମହାରାଷ୍ଟ୍ର
  • ଦିଲ୍ଲୀରେ ୫୦ ପ୍ରତିଶତ କ୍ଷମତା ସହ ପାଳନ ହେବ ବଡ଼ଦିନ

ୟୁୁରୋପ, ଆମେରିକା ପରେ ଏସିଆ ପାଇଁ ଚିନ୍ତା ବଢାଇଛି କରୋନାର ଏହି ନୂଆ ଭ୍ୟାରିଆଂଟ । ବ୍ରିଟେନରେ ୧୨୯ ଜଣ ଓମିକ୍ରନ ଆକ୍ରାନ୍ତ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପ୍ରାୟ ୧୪ ଜଣ ପ୍ରାଣ ହରାଇଲେଣି । ବିଦେଶରେ ବଢୁଥିବା ଭୟାବହତାକୁ ଦେଖି ଭାରତରେ ମଧ୍ୟ ସତର୍କ ରହିବା ପାଇଁ ସମସ୍ତ ରାଜ୍ୟ ସରକାରକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଏମିତିକି ନାଇଟ୍ କର୍ଫ୍ୟୁ ଉପରେ ମଧ୍ୟ ନିଷ୍ପତି ନେବାକୁ ରାଜ୍ୟଗୁଡିକୁ କୁହାଯାଇଥିବା ସୂଚନା ମିଳିଛି । ଗୁରୁବାର ଦିନ ଓମିକ୍ରନ ସ୍ଥିତି ନେଇ ବରିଷ୍ଠ ପଦାଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।