ମୁଣ୍ଡ ଟେକୁଛି ନୂଆ ଭୂତାଣୁର ଭୟ । ଆମେରିକାର ସ୍ୱାସ୍ଥ୍ୟ ପରାମର୍ଶଦାତା କହିଲେ, ଦେଶ ସାମ୍ନା କରିପାରେ ଆଉ ଏକ ନୂଆ ଭେରିଆଂଟ

240

କନକ ବ୍ୟୁରୋ: କରୋନାର ନୂଆ ପ୍ରଜାତି ବା ମ୍ୟୁଟାଂଟ ଭୂତାଣୁ ଆମେରିକାରେ ବିପର୍ଯ୍ୟୟ ଘଟାଇପାରେ । ଡେଲଟା ପରେ ଆମେରିକାରେ ଏବେ ମ୍ୟୁଟାଂଟ ଭୂତାଣୁର ଲକ୍ଷଣ ଦେଖା ଦେଇଥିବା ସତର୍କ କରାଇଦେଇଛନ୍ତି ହ୍ୱାଇଟ ହାଉସର ମେଡିକାଲ ଆଡଭାଇଜର ମାଇକ ଫସି । ଆମେରିକାରେ ଦ୍ରୁତ ଟିକାକରଣ ସତ୍ୱେ ଏବେ ଦୈନିକ ସଂକ୍ରମଣ ପାଖପାଖି ୧ ଲକ୍ଷ ରହୁଛି । ତେବେ ମ୍ୟୁଟାଂଟ ଭୂତାଣୁର ସଂକ୍ରମଣ ଆରମ୍ଭ ହେଲେ ସ୍ଥିତି ଅଣାୟତ ହୋଇପାରେ ବୋଲି ଫସି କହିଛନ୍ତି ।

ଆମେରିକାରେ କରୋନାର ନୂଆ ପ୍ରଜାତିକୁ ନେଇ ଶଙ୍କା ପ୍ରକାଶ ପାଇଥିବା ବେଳେ ଆମେ ଏହାକୁ ଗୁରୁତ୍ୱ ଦେବାର କାରଣ ହେଉଛି । ଏବେ ଯାହା ଆମେରିକାରେ ଚାଲିଛି, ହୁଏତ ଆଗକୁ ତାହା ଭାରତରେ ମଧ୍ୟ ହୋଇପାରେ । ଆମେରିକାରେ ନୂଆ ପ୍ରଜାତିର ଭୂତାଣୁ ସଂକ୍ରମଣକୁ ନେଇ ଭୟ କରିବାର କାରଣ ହେଉଛି

ମ୍ୟୁଟାଂଟ ଭୂତାଣୁ ସାର୍ସ-କୋଭ-୨ ଠାରୁ ପ୍ରାୟ ୧ ହଜାର ଗୁଣ ଅଧିକ ସଂକ୍ରାମକ ହେବ ଏବଂ
ଡେଲଟାଠାରୁ କ୍ଷିପ୍ର ବେଗରେ ସଂକ୍ରମଣ କରିବ
ଆମେରିକାରେ ଟିକା ନେଇନଥିବା ୯ କୋଟି ଲୋକଙ୍କ ପ୍ରତି ବିପଦ
ଦୈନିକ ସଂକ୍ରମଣ ୧ ଲକ୍ଷରୁ ୨ ଲକ୍ଷ ଛୁଇଁବା ଆଶଙ୍କା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡରସ ଗେବରିୟସ କହିଛନ୍ତି, ଡେଲଟା ଭୂତାଣୁର ସଂକ୍ରମଣ ଯୋଗୁଁ ବିଶ୍ୱ ଏବେ ବିପଦଜନକ ସମୟ ଦେଇ ଗତି କରୁଛି । ଡେଲଟା ନିରନ୍ତର ବିକଶିତ ଓ ରୂପ ପରିବର୍ତିତ କରି ମାନବ ସମାଜର ବଡ କ୍ଷତି କରୁଛି ।

ଧନୀ ଦେଶରେ ଟିକାକରଣ ହେଉଥିବା ବେଳେ ଗରିବ ଦେଶରେ ଟିକା ଉପଲବ୍ଧ ହେଉନଥିବାରୁ ସତର୍କ କରାଇ ଦେଇଛି ଡବ୍ଲୁଏଚଓ । ସେପଟେ କଲମ୍ବିଆ ୟୁନିର୍ଭସିଟିର ପ୍ରଫେସର ଡକ୍ଟର ଷ୍ଟିଫେନ ମୋରସେ କହିଛନ୍ତି, ଗୋଟିଏ ମଣିଷ ଠାରୁ ଅନ୍ୟ ମଣିଷକୁ ସଂକ୍ରମଣ ଭିତରେ ନିଜକୁ ବିକଶିତ କରିବା ସହ ରୁପ ପରିବର୍ତନ କରିବାରେ ସମର୍ଥ ହୋଇଥାଏ । ଏବେ ଆମେରିକାରେ ଦୈନିକ ଏକ ଲକ୍ଷ ସଂକ୍ରମଣ ହେଉଥିବାରୁ ଭୂତାଣୁକୁ ମ୍ୟୁଟାଂଟ ହେବାରେ ସହାୟକ ହେଉଛି । ଆଉ ଏହି ମ୍ୟୁଟାଂଟ ଭୂତାଣୁ ବିଶ୍ୱର ଅନ୍ୟ ଦେଶକୁ ସଂକ୍ରମିତ ହୋଇ ସ୍ଥିତି ଅସମ୍ଭାଳ କରିଦେଇପାରେ ।