ନବରଙ୍ଗପୁରରେ ଜର୍ମାନୀ ମିଳିମିଳା ରୁବେଲା ଭାଇରସ ଆତଙ୍କ । ପଡାଲଗୁଡା ଗାଁର ୨ ଶିଶୁ ଆକ୍ରାନ୍ତ, ଗାଁରେ ଡବ୍ଲୁଏଚଓ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅନୁଧ୍ୟାନ

96

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ୨ ରୁବେଲା ଆକ୍ରାନ୍ତ ଚିହ୍ନଟ । ଜର୍ମାନି ମିଳିମିଳା ରୁବେଲା ଭାଇରସ୍ରେ ଆକ୍ରାନ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ଗାଁର ଦୁଇ ଜଣ ଶିଶୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ୫ଜଣଙ୍କ ନମୂନା ରିପୋର୍ଟ ଆଇସିଏମଆରରୁ ଆସିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଠାରେ ରୁବେଲା ପଜିଟିଭ ଥିବାବେଳେ ଜଣଙ୍କ ଠାରେ କେବଳ ମିଳିମିଳା ରହିଛି । ତେନ୍ତୁଳିଖୁଂଟି ଓ ନନ୍ଦାହାଣ୍ଡି ବ୍ଲକ୍ରେ ୧୮ଜଣ ରୋଗୀଙ୍କ ଠାରେ ଜ୍ୱର ଓ ରାସେସ୍ ଦେଖିବାକୁ ମିଳିଛି । ସେମାନଙ୍କ ନମୂନା ସ୍ୱାସ୍ଥ୍ୟ ବିଭାଗ ଟିମ୍ ସଂଗ୍ରହ କରାଯାଇଛି । ଏହା ଏକ ଭୂତାଣୁ ଜନିତ ରୋଗ ଏବଂ ବାୟୁ ଦ୍ୱାରା ସଂକ୍ରମିତ ହୁଏ । ରୋଗୀଙ୍କ ମୁହଁ ଗୋଲାପ ରଙ୍ଗ ପଡିବା ସହ କାନ ଓ ବେକରେ ଛୋଟ ଛୋଟ ଫଟୋକା ହୋଇଥାଏ । ଏ ରୋଗ ଗର୍ଭବତୀ ମହିଳାଙ୍କୁ ହେଲେ ଗର୍ଭସ୍ଥ ଶିଶୁ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ରୁବେଲା ସଂକ୍ରମିତ ହୋଇଥିଲେ, ସଙ୍ଗରୋଧରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ସଚେତନ ରହିବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ପାଇଁ କୁହାଯାଇଛି । ଅନ୍ୟପଟେ ଗ୍ରାମବାସୀ ଅନ୍ଧବିଶ୍ୱାସର ବସବର୍ତୀ ହୋଇ ଝଡାଫୁଙ୍କା ଆରମ୍ଭ କରି ଦେଇଛନ୍ତି । ଏଥିରୁ ନିବୃତ ରହିବା ପାଇଁ ସଚେତନ କରାଉଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।