ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା । ଶ୍ରୀମନ୍ଦିରରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି

107

କନକ ବ୍ୟୁରୋ: ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା । ରୋଷଘର ସ୍ଥିତି ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି । ସୋମବାର ଉଭୟ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ପୁରୀରେ ପହଞ୍ଚି ସେବାୟତ, ଜିଲ୍ଲାପାଳ ଓ ଏସପିଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଦୁହେଁ ରୋଷଘର ଘଟଣାକୁ ନେଇ ଆଲୋଚନା କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁ ଜଗନ୍ନାଥଙ୍କ ୪୦ରୁ ଅଧିକ ଚୁଲି ଭଙ୍ଗାଯାଇଛି । ଯୋଜନା କରି ଏକାଧିକ ବ୍ୟକ୍ତି ଜଗନ୍ନାଥଙ୍କ ଚୁଲାକୁ ଶାବଳରେ ଭାଙ୍ଗିଥିବା ସୂଚନା ମିଳିଛି । ମନ୍ଦିର ପହଡ଼ ପଡ଼ିବା ପୂର୍ବରୁ ଏସବୁ ଚୁଲାକୁ ଭଙ୍ଗାଯାଇଛି । ପହଡ଼ ପରେ ଜଗନ୍ନାଥ ମନ୍ଦିରରେ ପ୍ରବେଶ ମନା । ତେଣୁ ପହଡ଼ ପଡ଼ିବା ପୂର୍ବରୁ ଚୁଲା ଭାଙ୍ଗିବା ପାଇଁ ମନ୍ଦିରରେ ଲୁଚି ରହିଥିଲେ । ରାତି ସାଢେ ୧୧ଟାରେ ରୋଷ ଘର ନୀତି ଶେଷ ହୋଇଥିଲା । ଏହାପରେ ଏକାଧିକ ବ୍ୟକ୍ତି ରୋଷଘରକୁ ପ୍ରବେଶ କରିଥିଲେ । କୁହାଯାଉଛି ରାତି ୩ଟା ପରେ ଚୁଲା ଭଙ୍ଗାଯାଇଛି ।

ବିଶେଷ କରି ସୁଆର ମହାସୁଆର ନିଯୋଗର ସେବାୟତମାନେ ଶ୍ରୀମନ୍ଦିର ରୋଷଘରେ କାରବାର କରିଥାନ୍ତି । ତେଣୁ କେଉଁମାନେ ଏହି ଚୁଲା ଭାଙ୍ଗିଛନ୍ତି ତାହା ରୋଷଘର ପ୍ରବେଶ ପଥରେ ଲାଗିଥିବା ସିସିଟିଭି କ୍ୟାମେରାରୁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ରୋଷଘର ଭିତରେ ସିସିଟିଭି ଲାଗେନାହିଁ । ଏହା ପରମ୍ପରା ବିରୋଧୀ ହୋଇଥିବାରୁ କେବଳ ରୋଷଘର ପ୍ରବେଶ ପଥରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସିସିଟିଭି ଲଗାଯାଇଛି । ଏହାକୁ ନେଇ ଏବେ ରାଜନୀତି ତେଜିବା ପରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ପୁରୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।