ଖରା ଦିନେ ପିଇବା ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ଲୋକେ । ପାଣି ପାଇଁ ଗରା ବାଲଟି ଧରି ରାଜରାସ୍ତାରେ ପ୍ରତିବାଦ ।

95

କନକ ବ୍ୟୁରୋ : ପାଣି ପାଇଁ ପ୍ରତିବାଦ । ରାସ୍ତା ଉପରେ ଗରା ବାଲଟି ଧରି ପ୍ରତିବାଦ କରିଛନ୍ତି ବାରିପଦା ସାମଖୁଣ୍ଟା ବ୍ଳକ ମହୁଲିଆ ଗାଁର ଲୋକେ । ଖରା ଦିନେ ପିଇବା ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ଲୋକେ । ଦୀର୍ଘ ଦିନ ହେଲା ପାଣି ସମସ୍ୟା ଭୋଗୁଥିବା ଲୋକେ ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସୂଚନା ଅନୁସାରେ ଗାଁରେ ବସୁଧା ଯୋଜନାରେ ୨ ବର୍ଷ ହେଲା ପାଣି ଟାଙ୍କି ନିର୍ମାଣ କରାଯାଇ ଘରକୁ ପାଣି ସଂଯୋଗ ହୋଇଥିଲେ ବି ପାଣି ପାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଗାଁ ଲୋକେ ଉପରିସ୍ଥ ଅଧିକାରୀ ଓ ସରପଂଚଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ନମିଳିବାରୁ କାମ ଧନ୍ଦା ବନ୍ଦ କରି ରାସ୍ତା ଉପରେ ଗରା ବାଲଟି ଧରି ପ୍ରତିବାଦ କରିଛନ୍ତି ।

ସେହିପରି ଉଦଳା ବଣିଆଦର ଗ୍ରାମବାସୀ ମଧ୍ୟ ଜଳକଷ୍ଟ ଭୋଗୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ପାଣି ମୁନ୍ଦାଏ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ରାତି ପାହିଲେ ଲୋକେ ଗରା ବାଲଟି ଧରି ନଳକୂପ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ।

ପାଣି ମୁନ୍ଦାଏ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗି  ତା । ଯିଏ ପ୍ରଥମେ ଯାଇ ନଳକୂପ ପାଖରେ ପହଂଚିବ ସେ ପାଇବ ପାଣି । ନଚେତ୍ ତା ପରେ ନଳକୂପରୁ ପାଣି ବାହାରିବା କଷ୍ଟକର ହୋଇପଡ଼ିବ । ଏ ଘଟଣା ହେଉଛି ଉଦଳା ବଣିଆଦର ଗ୍ରାମବାସୀଙ୍କ ଜଳକଷ୍ଟର ଦୃଶ୍ୟ । ବଣିଆଦର ଗାଁଟି ଶିମିଳିପାଳର ପାଦଦେଶରେ ରହିଥିବା ବେଳେ ଏଠାରେ ୪୫ରୁ ଉଦ୍ଧ୍ୱର୍ ପରିବାର ବସବାସ କରନ୍ତି । ଗାଁରେ ରହିଛି ୪ ଗୋଟି ନଳକୂପ । ହେଲେ ୪ଟିରୁ ୨ଟିି ନଳକୂପ ସମ୍ପୁର୍ଣ୍ଣ ଅଚଳ । ଆଉ ଯେଉଁ ଗୋଟିକ କାମ କରୁଛି ସେଥିରୁ ଦୁଇ ତିନି ଗରା ପାଣି ବାହାରିବା ପରେ ଆଉ ପାଣି ବାହାରିନଥାଏ । ପାଖାପାଖି ଏକ ଘଣ୍ଟା ଧରି ନଳକୂପ ମାରିଲେ ସେଥିରୁ ପାଣି ବାହାରିଥାଏ । ଏହି ନଳକୂପରୁ ଯେଉଁ ଅନୁପାତରେ ପାଣି ବାହାରେ ତାହା ଦୁଇ ଗୋଟି ଘରର ଆବଶ୍ୟକତାକୁ ପୂରଣ କରିବା କଷ୍ଟକର ।

ନଳକୂପରୁ କମ୍ ପାଣି ମିଳୁଥିବାରୁ ରାତି ପାହିଲେ ଏଠାରେ ଗରା ଏବଂ ବାଲଟି ଧରି ପାଣି ନେବା ପାଇଁ ଲମ୍ବା ଧାଡି ଲାଗିଥାଏ । କେବଳ ଖରା ଦିନ ନୁହେଁ ଏଭଳି ଜଳକଷ୍ଟ ସବୁଦିନ ଭୋଗୁଛନ୍ତି ଗ୍ରାମବାସୀ । ଜଳଯାତନା ବାବଦରେ ବାରମ୍ବାର ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା କହିଛନ୍ତି ସ୍ଥାନୀୟ ଲୋକେ ।  ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢି ଚାଲଛି । ହେଲେ ଗ୍ରାମବାସୀଙ୍କ ଜଳକଷ୍ଟ ଉପରେ ପଡ଼ୁନି ସରକାରୀ ବାବୁ କିମ୍ବା ନୂତନ ଭାବେ ନିର୍ବାଚିତ ଜନ ପ୍ରତିନିଧିଙ୍କର ନଜର । ତେଣୁ ଲୋକଙ୍କ ପାଇଁ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।