ଆସନ୍ତାକାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ । କୋଟିଆ ଓ ବାଇ-ଲ ପ୍ରସଙ୍ଗରେ ସରଗରମ ହୋଇପାରେ ବିଧାନସଭା ।

63

କନକ ବ୍ୟୁରୋ : ଓଡିଶା ସୀମା ଭିତରେ ପ୍ରବେଶ କରି ଆନ୍ଧ୍ର ପଂଚାୟତ ନିର୍ବାଚନ କରାଇଛି । ଚଳିତ ବିଧାନସଭା ବଜେଟ୍ ଅଧିବେଶନରେ ଜୋର ଧରିବ ସୀମା ବିବାଦ ତାତି । ପୂର୍ବରେ ପଶ୍ଚିମ ବଙ୍ଗ ବାଲି ଚୋରି କରୁଥିବା ବେଳେ ଉତରରେ ଝାଡଖଣ୍ଡ ପାହାଡ ଚୋରି କରୁଛନ୍ତି । ଅନ୍ୟପଟେ ପଶ୍ଚିମରେ ଛତିଶଗଡ ରାଜ୍ୟପାଇଁ ପାଣିସମସ୍ୟା କରିଥିବା ବେଳେ ଆନ୍ଧ୍ର ଦକ୍ଷିଣରେ ଓଡିଶା ଭିତରକୁ ମାଡି ବସୁଛି ।

କେବଳ ସୀମା ବିବାଦ ନୁହେଁ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ମଧ୍ୟ ପ୍ରମୁଖ ପ୍ରସଙ୍ଗ କରିବା ପାଇଁ ବିରୋଧୀ ଯୋଜନା ପ୍ରସ୍ତୁତ କରିଛନ୍ତି । ଚାଷୀ ସମସ୍ୟା , ପାଣି ସମସ୍ୟା, ତେଲ ଦର ପ୍ରସଙ୍ଗକୁ ମଧ୍ୟ କଂଗ୍ରେସ ଗୁରୁତ୍ୱ ଦେଇ ଆଲୋଚନା କରିବାକୁ ଆହ୍ୱାନ ଦେଇଛି । ସେପଟେ ପୂର୍ବ ଅଧିବେଶନରେ କରୋନା କଟକଣା ଯୋଗୁଁ ପ୍ରଶ୍ନକାଳ ନଥିବା ବେଳେ ଏଥର ପ୍ରଶ୍ନ କାଳ ରହିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତି ହୋଇଛି । ଏହାସହ ଦେଢ ଘଂଟା ଧରି ମୁଲତବୀ ପ୍ରସ୍ତାବ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ।

ଏପଟେ ଶାସକ ବିଜେଡି ସମେତ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ବିଧାୟକ ଦଳର ବୈଠକରେ ବଜେଟ୍ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ଚଳିତ ଅଧିବେଶନ ଦୁଇଟ ପର୍ଯ୍ୟାୟରେ ଫେବୃଆରୀ ୧୮ରୁ  ମାର୍ଚ୍ଚ ୩୧ ଯାଏଁ ଚାଲିବ ।