ଓଡିଶାର ସବୁଠୁ ବଡ଼ ସାଇବର ଠକେଇ । ଫୋନ ନମ୍ବର ଡିଆକ୍ଟିଭେଟ୍ ହୋଇଯିବ କହି ଡାକ୍ତରଙ୍କୁ ଆସିଲା ଫୋନ କଲ୍ । ଏଟିଏମ୍ କାର୍ଡ ନମ୍ବର, ଓଟିପି ଦେବା ପରେ ସବୁ ଲୁଟିନେଲେ ସାଇବର ଠକ ।

252

କନକ ବ୍ୟୁରୋ: ଡାକ୍ତର ସନାତନ ମହାନ୍ତି । ଜଣେ ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ । ଅନୁମାନ କରନ୍ତୁ ଜଣେ ଡାକ୍ତରଙ୍କ କ୍ଷେତ୍ରରେ ଯଦି ଏପରି ହୋଇପାରେ ତେବେ ଜଣେ ସାଧାରଣ ଲୋକକୁ ଠକିବା କେତେ ସହଜ ହେବ । ଏଟିଏମ କାର୍ଡ ଜରିଆରେ ମୋବାଇଲ ନମ୍ବରରେ ଏକ ରିଚାର୍ଜ ନକଲେ ମୋବାଇଲ ନମ୍ବର ବ୍ଲକ ହୋଇଯିବ ବୋଲି କହିଥିଲେ ସାଇବର ଲୁଟେରା । ସନାତନ ବାବୁ ଠକର କହିବାନୁସାରେ ଏକ ଆପ ଡାଉନଲୋଡ କରିଥିଲେ । ଏଟିଏମ କାର୍ଡ ବ୍ୟବହାର କରି ରିଚାର୍ଜ କରିଥିଲେ । ଆଉ ପର୍ଯ୍ୟାୟ କ୍ରମେ ଆକାଉଂଟରୁ ଖାଲି ହୋଇଗଲା ୭୭ଲକ୍ଷ ଟଙ୍କା ।

ଏହି ଫୋନ କୋଲକାତାରୁ ଆସିଥିବା ସନ୍ଦେହ କରାଯାଉଛି । କାରଣ ଲୁଟେରା ବଙ୍ଗାଳି ଏବଂ ହିନ୍ଦୀ ଭାଷାରେ କଥା ହେଉଥିଲା । ସନାତନ ତାଙ୍କ ସହିତ ଠକେଇ ହୋଇଛି ବୋଲି ସେତେବେଳେ ଜାଣିଥିଲେ ଯେତେବେଳେ ଘର କାମ ପାଇଁ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଯାଇଥିଲେ । କିନ୍ତୁ ସେତେବେଳେକୁ ସବୁକିଛି ଖତମ । ଡାକ୍ତରଙ୍କ ଜୀବନ ଯାକର ସଂଚିତ ପୁଞ୍ଜି କିଛି ସମୟ ମଧ୍ୟରେ ଗାୟବ ହୋଇଯାଇଛି ।

ଓଡିଶାରେ ଏ ପର୍ଯ୍ୟନ୍ତ ହୋଇଥିବା ସାଇବର ଠକେଇ ଏହି ଘଟଣା ସବୁଠୁ ବଡ ବୋଲି କୁହାଯାଉଛି । ଏନେଇ ସନାତନ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏବେ ନଜର ରହିବ ପୋଲିସ ଏହି ସାଇବର ଠକ ପାଖରେ କେବେ ପହଂଚୁଛି ।