ଆନ୍ଦୋଳନରତ ଚାଷୀଙ୍କ ଅରାଜକତାର ନୂଆ ପ୍ରମାଣ । ଜାନୁଆରୀ ୨୬ ହିଂସାରେ ପୋଲିସ କର୍ମୀଙ୍କୁ ଚାଷୀ ଲାଠିରେ ମାଡ ମାରୁଥିବାର ଭିଡିଓ ଜାରି କଲା ଦିଲ୍ଲୀ ପୋଲିସ ।

105

କନକ ବ୍ୟୁରୋ: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କଣ ଘଟିଲା ତାହା ସମସ୍ତେ ଦେଖିଛନ୍ତି । ଆନ୍ଦୋଳନ ନାଁରେ ଚାଷୀମାନେ କିଭଳି ଅରାଜକତା କଲେ ତାହା ଆପଣ ଟିଭି ପରଦାରେ ଦେଖିଛନ୍ତି । ଆନ୍ଦୋଳନ ନାଁରେ ଚାଷୀଙ୍କ ହିଂସାକାଣ୍ଡର ନୂଆ ନୂଆ ଭିଡିଓ ସାମନାକୁ ଆସୁଛି । ଏହାରି ଭିତରେ ୨୬ ଜାନୁଆରୀରେ ଚାଷୀଙ୍କ ଉତ୍ପାତର ଏକ ନୂଆ ଭିଡିଓ ସାମ୍ନାକୁ ଆଣିଛି ଦିଲ୍ଲୀ ପୋଲିସ । ଚାଷୀଙ୍କ ଉପରେ ପୋଲିସ ବଳପ୍ରୟୋଗ ନେଇ ଅଭିଯୋଗ ଭିତରେ ଏହି ଭିଡିଓ କିଛି ଭିନ୍ନ ତଥ୍ୟ ବୟାନ କରୁଛି ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଭଳି ଚାଷୀମାନେ ହାତରେ ଲାଠି ଧରି ପୋଲିସ ଉପରେ ଆକ୍ରମଣ କରୁଛନ୍ତି । ଆଉ ପୋଲିସ କେବଳ ଆତ୍ମରକ୍ଷା ପାଇଁ ପ୍ରୟାସ ଚଳାଇଛି । ହାତରେ ଲାଠି ଧରି ମାଡି ଯାଉଛନ୍ତି ଚାଷୀ । ଶତାଧିକ ଚାଷୀ ଏକାଥରକେ ପୋଲିସ ଉପରେ ଆକ୍ରମଣ କରୁଥିବା ବେଳେ ନିଜ ଆତ୍ମରକ୍ଷା ପାଇଁ ଚେଷ୍ଟା ଚଳାଇଛନ୍ତି ସୁରକ୍ଷାରେ ଥିବା ଦିଲ୍ଲୀ ପୋଲିସ ।

ଲାଲକିଲ୍ଲାରେ ଜାନୁଆରୀ ୨୬ ତାରିଖରେ କିଛି ଚାଷୀ ହାତରେ ମାରଣାସ୍ତ୍ର ଧରିି ହିଂସା କରୁଥିବା ଦେଖିବାକୁ ମିଳିଥିଲା । ଆଉ ଏହି ମାମଲାରେ ମନିନ୍ଦର ସିଂ ମୋନିଙ୍କୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଗିରଫ କରିବାରେ ସଫଳ ହୋଇଛି । ଦିଲ୍ଲୀସ୍ଥିତ ବାସଭବନରୁ ମନିନ୍ଦରକୁ ଗିରଫ କରାଯିବା ସହ ଦୁଇଟି ଖଣ୍ଡା ମଧ୍ୟ ଜବତ କରିଛି ପୋଲିସ । ଜାନୁଆରୀ ୨୬ ହିଂସା କାଣ୍ଡର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କୁ ଖୋଜୁଥିଲା ପୋଲିସ ।

ଅପରପକ୍ଷରେ ଟ୍ରାକ୍ଟର ରାଲି ଓ ଚକା ଜାମ ପରେ ଏବେ ଆସନ୍ତାକାଲି ୧୮ ତାରିଖରେ ଦେଶବ୍ୟାପି ୪ ଘଂଟିଆ ରେଳରୋକ କରବାକୁ ନିଷ୍ପତି ନେଇଛି ଚାଷୀ ସଂଗଠନ । ଦିନ ୧୨ଟାରୁ ୪ ଟା ପର୍ଯ୍ୟନ୍ତ ରେଳରୋକ କରିବା ପାଇଁ ଚାଷୀ ସଂଗଠନ ଘୋଷଣା କରିଛନ୍ତି ।