ନଷ୍ଟ ହେଉଛି ଚାନ୍ଦିପୁର ବେଳାଭୂମିର ସୌନ୍ଦର୍ଯ୍ୟ: ସବୁଜ ଶିଉଳୀ ଓ ଘାସ ଯୋଗୁଁ କୂଳରେ ପହଞ୍ଚିପାରୁନି ପାଣି 

52

କନକ ବ୍ୟୁରୋ: ବାଲେଶ୍ୱର ସହର ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଚାନ୍ଦିପୁର ବିସ୍ତୀର୍ଣ୍ଣ ବେଳାଭୂମି । ସାରା ବିଶ୍ୱରେ ଏହା ସ୍ୱତନ୍ତ୍ର ପରିଚୟ ଅର୍ଜନ କରିଛି । ସାଧାରଣତଃ ଏହି ବେଳାଭୂମିରେ ଅନ୍ୟ ବେଳାଭୂମି ଭଳି ବାଲି ଦେଖିବାକୁ ମିଳେ ନାହିଁ । ଚାନ୍ଦିପୁର ବେଳାଭୂମି ଦେଶର ୭୫ଟି ବେଳାଭୂମି ତାଲିକାରେ ସ୍ଥାନ ପାଇଛି । ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ ଓ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଚାନ୍ଦିପୁର ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦଳୀୟ ନେତା, ଜିଲ୍ଲା ପ୍ରଶାସନ, ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନ, ମହିଳା ଗ୍ରୁପ୍ ମିଶି ବେଳଭୂମିର ସଫେଇ କରିଛନ୍ତି । ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ବେଳାଭୂମିରେ ପ୍ଲାଷ୍ଟିକ, ପଲିଥିନ ଓ ଅନ୍ୟାନ୍ୟ ଆବର୍ଜନା ସଫେଇ କରାଯାଉଛି ।

ତେବେ ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ କରୁଛି ଏଠାକାର ସବୁଜ ଶିଉଳୀ ଓ ପୁଂଚା ପୁଂଚା ଘାସ । ଧୀରେ ଧୀରେ ବେଳାଭୂମିର କୂଳ ପୋତି ହୋଇଯାଉଥିବାରୁ ଆଗଭଳି ଆଉ ପାଣି କୂଳରେ ପହଂଚି ପାରୁନି । ତେଣୁ ବେଳାଭୂମିରେ ସବୁଜ ଶିଉଳୀ ଉଠିଥିବା ଦେଖିବାକୁ ମିଳିଛି । ବେଳାଭୂମି କୂଳ ଏବେ ପଡ଼ିଆର ଭ୍ରମ ସୃଷ୍ଟି କରିବା ଆରମ୍ଭ କରିଛି । ବେଳାଭୂମିରେ ଥିବା ପକ୍କା ପାହାଚ ଭାଙ୍ଗିଗଲାଣି । ଏପରିକି ବେଳାଭୂମିର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ହ୍ରାସ ହେବରେ ଲାଗିଛି । ଏପରିକି ସବୁଜ ଶିଉଳୀ ଓ ଘାସକୁ ଯଦି ସଫା କରାନଯିବ, ତାହେଲେ ବେଳାଭୂମି ତା’ର ଅସ୍ତିତ୍ୱ ହରାଇବ ବୋଲି ଆଶଙ୍କା କରିଛନ୍ତି ବୁଦ୍ଧିଜୀବୀ ।