ବଦଳିଛି ବର୍ଷ, ବଦଳିଛି ଟିମ୍ ଇଣ୍ଡିଆର ଜର୍ସି । ଦେଖନ୍ତୁ, ଗତ ୭ଟି ଟି-୨୦ ବିଶ୍ୱକପରେ କେଉଁ କେଉଁ ଜର୍ସିରେ ନଜର ଆସିଥିଲା ଟିମ୍ ଇଣ୍ଡିଆ…

325

କନକ ବ୍ୟୁରୋ: ଆସନ୍ତା ମାସ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ବିଶ୍ୱକପ୍ । ଅଷ୍ଟ୍ରେଲିଆରେ ବିଶ୍ୱକପ୍ ଟ୍ରଫି ପାଇଁ ଲଢିବେ ବିଶ୍ୱର ପ୍ରମୁଖ ଶକ୍ତିଶାଳୀ ଦଳ । ଏଥିପାଇଁ ଆୟୋଜକଙ୍କଠାରୁ ଆରମ୍ଭ କରି ଫ୍ୟାନ୍ସଙ୍କ ଭିତରେ ଉତ୍ସାହ ଲାଗି ରହିଛି । ଆଜି ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ମଧ୍ୟ ଲଞ୍ଚ ହେବାକୁ ଅଛି । ତେଣୁ ଆଜି ଆସନ୍ତୁ ଜାଣିବା ଗତ ସମସ୍ତ ବିଶ୍ୱକପରେ ଟିମ୍ ଇଣ୍ଡିଆର ଖେଳାଳି କେଉଁ କେଉଁ ଜର୍ସିରେ ନଜର ଆସିଥିଲେ…

୨୦୦୭

ଏମ୍ ଏସ୍ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଏହି ବିଶ୍ୱକପର ପ୍ରଥମ ସଂସ୍କରଣରେ ବିଶ୍ୱ ଚାମ୍ପିୟନ୍ ହେଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ହାଲକା ନୀଳ ରଙ୍ଗର ଜର୍ସିରେ ନଜର ଆସିଥିଲା । ତେବେ ହାଲକା ନୀଳ ରଙ୍ଗର ଜର୍ସି ଭାରତୀୟ କ୍ରିକେଟ ଟିମର ଟ୍ରେଡମାର୍କ ରହିଛି । ୨୦୦୭ ଦିନିକିଆ ବିଶ୍ୱକପରେ ମଧ୍ୟ ଭାରତୀୟ ଟିମ୍ ଏହିଭଳି ଜର୍ସିରେ ନଜର ଆସିଥିଲା ।

୨୦୦୯

୨୦୦୯ ମସିହାରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ଜର୍ସିରେ ପରିବର୍ତ୍ତନ ହେଇଥିଲା । ଏଥର ଗାଢ୍ ନୀଳ ରଙ୍ଗର ଜର୍ସିରେ ନଜର ଆସିଥିଲେ ଭାରତୀୟ ଖେଳାଳି । ଖାଲି ସେତିକି ନୁହେଁ, ଏହି ଜର୍ସିର କଲରକୁ ହାଲକା ନୀଳ ରଙ୍ଗ ବଦଳରେ ନାରଙ୍ଗୀ ରଙ୍ଗରେ ବଦଳାଯାଇଥିଲା । ଏହି ବିଶ୍ୱକପରେ କିନ୍ତୁ ଭାରତୀୟ ଦଳ ଟ୍ରଫି ଜିତିବାକୁ ସକ୍ଷମ ହେଇପାରିନଥିଲା । ୨୦୧୦

ଗୋଟିଏ ବର୍ଷପରେ ପୁଣି ଖେଳାଯାଇଥିଲା ଟି-୨୦ ବିଶ୍ୱକପ୍ । ଏଥର ସମ୍ପୂର୍ଣ୍ଣ ଭିନ୍ନ ଜର୍ସିରେ ନଜର ଆସିଥିଲା ମାହି ବାହିନୀ । ଟି-ସାର୍ଟର ଗୋଟିଏ ପାଖରେ ତ୍ରିରଙ୍ଗାର ଝଲକ ଥିଲାବେଳେ, ପୂରା ସାର୍ଟଟି ଗାଢ୍ ନୀଳ ରଙ୍ଗର ଥିଲା । ସେହି ସିଜିନରେ ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆକୁ ହରେଇ ବିଶ୍ୱ ଚାମ୍ପିୟନ୍ ହେଇଥିଲା । 

୨୦୧୨

୨୦୧୧ ଦିନିକିଆ ବିଶ୍ୱକପ୍ ଜିତିବାର ଗାଟିଏ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଖେଳିଥିଲା ଧୋନୀ ବାହିନୀ । ଏହି ବିଶ୍ୱକପରେ ଭାରତୀୟ ଦଳର ଜର୍ସି ଠିକ୍ ୨୦୧୧ ବିଶ୍ୱକପ୍ ଭଳି ଥିଲା । ଶ୍ରୀଲଙ୍କାରେ ଖେଳାଯାଇଥିବା ଏହି ବିଶ୍ୱକପରେ ଟିମ୍ ଇଣ୍ଡିଆ ସେତେଟା ଖାସ୍ ପ୍ରଦର୍ଶନ କରିପାରିନଥିଲା । ଏହି ସିଜିନରେ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କାକୁ ହରେଇ ପ୍ରଥମ ଥର ଚାମ୍ପିୟନ୍ ହେଇଥିଲା । ୨୦୧୪

ବାଂଲାଦେଶରେ ହେଇଥିବା ୨୦୧୪ ବିଶ୍ୱକପରେ ଭାରତ ଚମକ୍ରାର ପ୍ରଦର୍ଶନ କରିଥିଲା । ଟିମ୍ ଇଣ୍ଡିଆ ଫାଇନାଲରେ ଜାଗା ପକ୍କା କରିବା ସହିତ ରନର୍ସ ଅପ୍ ହେଇଥିଲା । ଏହି ବିଶ୍ୱକପରେ ଭାରତୀୟ ଜର୍ସିରେ ସେତେ କିଛି ଅଧିକ ପରିବର୍ତ୍ତନ ହେଇନଥିଲେ ମଧ୍ୟ ଖେଳାଳିଙ୍କ କାନ୍ଧରେ ତ୍ରିରଙ୍ଗାର ଭଳି ଡିଜାଇନ୍ ରହିଥିଲା । ୨୦୧୬

ଏହି ବିଶ୍ୱକପରେ ଭାରତୀୟ ଦଳ ନୀଳ ଓ ଲାଲ-ନାରଙ୍ଗୀ ଜର୍ସିରେ ନଜର ଆସିଥିଲା । ନାଇକ୍ ଦ୍ୱାରା ଲଞ୍ଚ୍ କରାଯାଇଥିବା ଏହି ଜର୍ସିର ପ୍ରମୁଖ ବିଶେଷତ୍ୱ ଥିଲା, ଖେଳାଳିଙ୍କ ବାମ ପଟ କାନ୍ଧରେ ଏକ ନୂଆ ଡିଜାଇନ୍ କରାଯାଇଥିଲା । ଏହି ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ପୁଣିଥରେ ଟ୍ରଫି ଜିତିବା ସହିତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ ହେଇଥିଲା । ୨୦୨୧

ଗତ ବିଶ୍ୱକପରେ ଭାରତ ଗାଢ ନୀଳ ରଙ୍ଗର ଜର୍ସି ପିନ୍ଧିଥିଲା । ହେଲେ ଏଥର କିନ୍ତୁ କିଛି ନୂଆ ଢଙ୍ଗରେ ଖେଳାଳିମାନେ ଜର୍ସିରେ ନଜର ଆସିଥିଲେ । ଏହି ଜର୍ସିକୁ ଏମପିଏଲ୍ ଲଞ୍ଚ କରିଥିଲା । ଯାହାକୁ ଫ୍ୟାନ୍ସମାନେ ପସନ୍ଦ ବି କରିଥିଲେ ।