ବର୍ଷ ଓ ନେତୃତ୍ୱର ପ୍ରଥମ ମ୍ୟାଚରେ କୋହଲିଙ୍କ କମାଲ ! ଟିମ୍ ଇଣ୍ଡିଆର ‘ବିରାଟ’ ବିଜୟ

23

କନକ ବ୍ୟୁରୋ : ବିଜୟରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ କରିଛି ଭାରତ । ୩୫୦ ରନର ବିଶାଳ ସ୍କୋରକୁ ଚେଜ କରିଛନ୍ତି କୋହଲି ଆଣ୍ଡ କୋ । ବାରବାଟୀ ଆସିବା ଆଗରୁ ବିଜୟରୁ ଶୃଙ୍ଖଳା ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଏଥିସହିତ ତିନି ଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଦଳ । ନୂଆବର୍ଷର ପ୍ରଥମ ମ୍ୟାଚରେ ମଧ୍ୟ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଇଂଲଣ୍ଡର ୩୫୦ ରନର ଟାର୍ଗେଟକୁ ୧୧ ବଲ ପୂର୍ବରୁ ପାର କରିଯାଇଛି ।

କମାଲ ଦେଖାଇଲା ଭାରତୀୟ ଦଳ । ୩୫୦ ରନର ବିଶାଳ ସ୍କୋର୍ ଟିମ୍ ଇଣ୍ଡିଆର ବ୍ୟାଟିଂ ଅର୍ଡର ଆଗରେ ପାଲଟିଗଲା ତୁଚ୍ଛ । ପୁଣେରେ ଭାରତୀୟ ଦର୍ଶକଙ୍କ ଭରପୂର ମନୋରଂଜନ କଲେ କୋହଲି ଆଣ୍ଡ୍ କୋ । ଟସ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତି ନେଇଥିଲେ କୋହଲି । ହେଲେ ଭାରତୀୟ ବୋଲରଙ୍କୁ ପ୍ରହାର କରି ବିଶାଳ ସ୍କୋର କରିଥିଲା ଭ୍ରମଣକାରୀ ଇଂଲଣ୍ଡ ଦଳ । ତିନି ତିନିଟି ଅର୍ଦ୍ଧଶତକ ବଳରେ ୩୫୦ ରନ୍ କରିନେଇଥିଲା ଇଂଲଣ୍ଡ । ଶେଷ ୮ ଓଭରରେ ୧୦୫ ରନ୍ ଯୋଡି ବିରାଟ ସ୍କୋର ଛିଡା କରିଥିଲା ଭ୍ରମଣକାରୀ ଦଳ ।

ବିଶାଳ ସ୍କୋରକୁ ପିଛା କରି ଭାରତର ପ୍ରାରମ୍ଭିକ ଯୋଡି ୬ ଓଭର ନ’ପୁରୁଣୁ ପ୍ୟାଭିଲିୟନ ଫେରିଥିଲେ । ଆଉ ୧୨ ଓଭର ବେଳକୁ ୬୪ ରନରେ ୪ ୱିକେଟ ହରାଇ ଘୋର ସଂକଟରେ ପଡିଥିଲା ଭାରତ । ହେଲେ ତ୍ରାଣକର୍ତା ସାଜିଥିଲେ କ୍ୟାପଟେନ କୋହଲି ଓ କେଦାର ଯାଦବ । ବିଜୟ ସମ୍ଭାବନାକୁ ଫେରାଇ ଆଣିଥିଲେ ଏହି ଯୋଡି । କେଦାରଙ୍କ ୬୫ ବଲରେ ବିସ୍ଫୋରକ ଶତକ ଓ କୋହଲିଙ୍କ ଦିନିକିଆ କ୍ୟାରିଅରର ୨୭ତମ ଶତକ ଟିମ୍ ଇଣ୍ଡିଆକୁ ସହଜ ସ୍ଥିତିକୁ ନେଇ ଆସିଥିଲା । ଆଉ ୱିନିଂ ଯୋଡି ସାଜିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଆର, ଅଶ୍ୱୀନ ।

ଗୋଟିଏ ସମୟରେ ବିଜୟ ଅସମ୍ଭବ ଲାଗୁଥିବାବେଳେ ଦଳଗତ ପ୍ରଦର୍ଶନ ୧୧ ବଲ ପୂର୍ବରୁ ଭାରତ ପାଇଁ ଆଣି ଦେଇଥିଲା ବିରାଟ ସଫଳତା । ଲେଗ ସ୍ପିନର ଆଦିଲ ରସିଦଙ୍କୁ ଲଙ୍ଗ ଅଫରେ ଛକା ମାରି ପାଣ୍ଡ୍ୟା ସ୍କୋରକୁ ବରାବର ସ୍ଥିତିକୁ ଆଣିଥିବାବେଳେ ଆର. ଅଶ୍ୱୀନ ମାରିଥିଲେ ୱିନିଂ ସଟ୍ ।

ମୋଇନ ଅଲ୍ଲିଙ୍କୁ ଲଙ୍ଗ ଅନ ଉପରେ ଛକା ମାରି ମ୍ୟାଚ ଫିନିସ କରିଥିଲେ ଅଶ୍ୱୀନ । ବର୍ଷର ଓ ଦିନିକିଆ ନେତୃତ୍ୱର ପ୍ରଥମ ମ୍ୟାଚରେ ବଡ ବିଜୟ ପାଇଛି ଭାରତ । କୋହଲି ହୋଇଛନ୍ତି ମ୍ୟାନ୍ ଅଫ୍ ଦ ମ୍ୟାଚ୍ । ତିନି ଟିକିଆ ସିରିଜରେ ୧-୦ରେ ଭାରତ ଅଗ୍ରଣୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୧୯ ତାରିଖରେ ବାରବାଟୀରେ ଖେଳାଯିବ ।