ନୀଳଗିରିରେ ତହସିଲଦାର-ବିଧାୟକ ମୁହାଁମୁହିଁ । ତହସିଲ ପରିସରରୁ ମୋହରୀରଙ୍କ ଚାଳି ଭାଙ୍ଗିବାକୁ ନେଇ ଉତ୍ତେଜନା

ବିଧାୟକଙ୍କୁ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ବିଧାୟକ

503

କନକ ବ୍ୟୁରୋ: ନୀଳଗିରି କଚେରୀ ହତା ମଧ୍ୟରେ ମୋହରୀର ଘରଗୁଡିକୁ ଭଙ୍ଗାଯିବାକୁ ନେଇ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ମୁହାଁମୁହିଁ ହୋଇଛନ୍ତି । ଗତକାଲି ଭଙ୍ଗା ଚାଲିଥିବାବେଳେ ଖବର ପାଇଁ ବିଧାୟକ ଘଟଣାସ୍ଥଳରେ ପଂହଚିଥିଲେ । ଘଟଣା ସମ୍ପର୍କରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଯନ୍ତ୍ରୀ ସହ ଆଲୋଚନା କରିବା ପରେ ଥଇଥାନ କରି ଭାଙ୍ଗିବା କଥା ବିଧାୟକ କହିଥିଲେ ।  ଏହାକୁ ନେଇ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ମୋହରୀରଙ୍କ ଘରକୁ ମଧ୍ୟ ଭଙ୍ଗାଯାଇଥିଲା । ଏହାକୁ ବିରୋଧ କରି ବିଧାୟକ, ମୋହରୀର ଓ ଆଇନଜୀବୀ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ।

ଆଜି ସକାଳେ ସମୟରେ ତହସିଲଦାର ସୁଶ୍ରିତା ଟୁଡ଼ୁ ଏବଂ ଅତିରିକ୍ତ ତହସିଲଦାର ରାକେଶ ପଣ୍ଡା ଜେପିସି ଲଗାଇ କଚେରି ହତା ଭିତରେ ଥିବା ମୋହରିର ଏବଂ ଆଇନଜୀବୀମାନଙ୍କର ଘରଗୁଡ଼ିକୁ ଭାଙ୍ଗୁଥିବା ବେଳେ ଖବର ପାଇ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ସେଠାରେ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ବିଧାୟକ ସୁକାନ୍ତ କୁମାର ନାୟକ ଏବଂ ତହସିଲଦାର ସୁଶ୍ରିତା ଟୁଡ଼ୁ ଏବଂ ଅତିରିକ୍ତ ତହସିଲଦାର ରାକେଶ ପଣ୍ଡାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ବିଧାୟକ ସୁକାନ୍ତ କୁମାର ନାୟକ କହିଥିଲେ ଯେ ପ୍ରଥମେ ମୋହରିର ଏବଂ ଆଇନଜୀବୀମାନଙ୍କୁ ଥଇଥାନ କରାଯିବ ଏବଂ ତାପରେ ସେହି ଘରଗୁଡ଼ିକୁ ଭଙ୍ଗାଯିବ ବୋଲି ମନ୍ତ୍ରୀ, ଜିଲ୍ଲାପାଳଙ୍କ ସହ ସେ କଥା ହୋଇଥିଲେ। କିନ୍ତୁ ହଠାତ୍ କାହାରିକୁ ନ ଜଣାଇ କାହିଁକି ଏଭଳି ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ କରିଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ତହସିଲଦାର ସୁଶ୍ରିତା ଟୁଡ଼ୁ ଏବଂ ଅତିରିକ୍ତ ତହସିଲଦାର ରାକେଶ ପଣ୍ଡା ବିଧାୟକ ସୁକାନ୍ତ କୁମାର ନାୟକଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଜଣାଯାଇଛି। ଏହାର ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଧାରଣାରେ ବସିଥିବା ଜଣାଯାଇଛି।ଏଣେ ମୋହରିର ଏବଂ ଆଇନଜୀବୀମାନେ ମଧ୍ୟ ଏହାର ପ୍ରତିବାଦ କରି ତହସିଲ ଅଫିସରେ ତାଲା ପକାଇ ଧାରଣା ଦେଇଥିବାର ଖବର ମିଳିଛି।