ଏପଟେ ଚାଲିଛି ମତଦାନ, ସେପଟେ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ : ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରକୁ ଆକ୍ରମଣ ଅଭିଯୋଗ

କହିଲେ, ମମତା ଶାସନରେ ଚାଲିଛି ଜଙ୍ଗଲରାଜ; ଏଥର ମତଦାତା ଆଣିବେ ପରିବର୍ତନ

248

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ ଉପରକୁ ଆକ୍ରମଣ । ଶୁଭେନ୍ଦୁଙ୍କ ଗାଡ଼ି ଉପରକୁ ମଧ୍ୟ ପଥର ମାଡ଼ ହୋଇଥିବା ଜଣାପଡ଼ିଛି । ତେବେ ଏଥିରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡିର କିଛି କ୍ଷତି ହୋଇନାହିଁ । ଅନ୍ୟପଟେ ଶୁଭେନ୍ଦୁ ଅଧିକାରୀଙ୍କ ପଛରେ କଭରେଜ ପାଇଁ ଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ରାଣୀଛକ ଓ ଦାରୁଲ ମଦ୍ରାସା ନିକଟରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରେ ପଥର ମାଡ ହୋଇଥିବା ଜଣାପଡିଛି ।

ଅନ୍ୟପଟେ କାରକେଡ ଉପରେ ହୋଇଥିବା ଆକ୍ରମଣକୁ ନେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗରେ ଜଙ୍ଗଲରାଜ ଚାଲିଛି । ଏହା ପଶ୍ଚିମବଙ୍ଗର ଭୋଟର ଓ ଦେଶବାସୀ ଦେଖିବା ଉଚିତ । ବିଧାନସଭା ନିର୍ବାଚନ ପାଇଁ ଏହି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ହାଇଭୋଲଟେଜ୍ ନନ୍ଦୀଗ୍ରାମ ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ ପଡୁଛି । ଯେଉଁଠାରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବଂ ବିଜେପି ଶିବରରୁ ଟକ୍କର ଦେଉଛନ୍ତି ଏକଦା ମମତାଙ୍କ ଏକାନ୍ତ ଅନୁଗତ ଶୁଭେନ୍ଦୁ ଅଧିକାରୀ ।