ଚର୍ଚ୍ଚା ବଢ଼ାଇଛି ପ୍ରତିଶ୍ରୁତିର ବିଜୁଳି । ବିଜେଡି ଇସ୍ତାହାରରେ ୧୦୦ ୟୁନିଟ୍ ମାଗଣା ବିଜୁଳି । ଉଠିଲା ପ୍ରଶ୍ନ, କାହା ଉପରେ ଭରସା କରିବେ ଭୋଟର ।

1,074

କନକବ୍ୟୁରୋ: ଚର୍ଚ୍ଚା ବଢ଼ାଇଛି ପ୍ରତିଶ୍ରୁତିର ବିଜୁଳି । ଅନେକ ରାଜନୈତିକ ଦଳ ମାଗଣା ବିଜୁଳିର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛନ୍ତି । ତେଣୁ ରାଜ୍ୟ ରାଜନୀତିରେ ମାଗଣା ବିଜୁଳି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତକାଲି ବିଜେଡି ତାର ଇସ୍ତାହାର ପ୍ରକାଶ କରିଛି । ଆଉ ଏଥିରେ ଶହେ ୟୁନିଟ ଯାଏଁ ମାଗଣା ବିଜୁଳିର କଥା କହିଛି । ପୂର୍ବରୁ କଂଗ୍ରେସ ଓ ବିଜେପି ମଧ୍ୟ ବିଜୁଳିକୁ ନେଇ ନିଜ ନିଜ ଢଙ୍ଗରେ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛନ୍ତି ।

ଭୋଟରଙ୍କ ମୁଡ ଜିଣିବା ପାଇଁ ଏବେ ରାଜନୈତିକ ଦଳମାନେ ମାଗଣା ବିଜୁଳି ବାବଦରେ ଘୋଷଣା କରିଛନ୍ତି । ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଯେଉଁଥିରେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ୧୦୦ ୟୁନିଟ୍ ମାଗଣା ବିଜୁଳି ବାବଦରେ ଘୋଷଣା କରିଛି । ଯଦି ଜଣେ ୧୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଛନ୍ତି ତାଙ୍କୁ ବିଜୁଳି ବିଲ୍ ଦେବାକୁ ପଡିବ ନାହିଁ । ସେହିପରି ୧୦୦ରୁ ୧୫୦ ୟୁନିଟ୍ ବ୍ୟବହାର କରୁଥିଲେ ୫୦ ୟୁନିଟ୍ ରିହାତି ମିଳିବ ।

କଂଗ୍ରେସ ମଧ୍ୟ ୨୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି ବାବଦରେ ଘୋଷଣା କରିଛି । ବିଜେପି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟରେ ଅନେକ ସମୟରେ ବିଦ୍ୟୁତ୍ ବିଲ୍ ଅଧିକ ନିଆଯାଉଛି ବୋଲି ଅଭିଯୋଗ ଆସେ । ଓଡିଶାରେ ବିଦ୍ୟୁତ ଉତ୍ପାଦନ ହେଉଛି ।

ହେଲେ ଅନ୍ୟ ରାଜ୍ୟ ତୁଳନାରେ ବର୍ଦ୍ଦିତ ବିଦ୍ୟୁତ ଦରକୁ ନେଇ ଅଭିଯୋଗ ଆସେ । ଏଥିପାଇଁ ଶାସକ ଦଳ ମଧ୍ୟ ବିଭିନ୍ନ ସମାଲୋଚନାର ଶିକାର ହୋଇଛି । ଆଉ ଏହାରି ଭିତରେ ତିନି ରାଜନୈତିକ ଦଳ ନିଜ ଇସ୍ତାହାରରେ ମାଗଣା ବିଜୁଳି ବାବଦରେ ଘୋଷଣା କରିଛି ।

ତେବେ ମାଗଣା ବିଜୁଳି ଘୋଷଣା କରି ଅନେକ ରାଜ୍ୟର ରାଜନୈତିକ ଦଳ ଆଦୃତ ହୋଇପାରିଛନ୍ତି । ନିକଟରେ ଦିଲ୍ଲୀ କ୍ୟାବିନେଟ୍ ବିଦ୍ୟୁତ ରିହାତି ବାବଦରେ ନିଷ୍ପତି ନେଇଛି । ଯେଉଁଥିରେ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ବାବଦରେ ନିଷ୍ପତି ହୋଇଛି । ୨୦୧ ୟୁନିଟରୁ ୪୦୦ ୟୁନିଟ୍ ଯାଏ ୫୦ ପ୍ରତିଶତ ରିହାତିରେ ବିଜୁଳି ମିଳିବ ବୋଲି ନିଷ୍ପତି ହୋଇଛି ।

ଆମ ଆଦମୀ ପାର୍ଟି ସରକାର ଦୀର୍ଘ ୯ ବର୍ଷ ହେବ ଏହିପରି ସେବା ଯୋଗାଇ ଆସୁଛି ବୋଲି ନିକଟରେ କହିଥିଲେ କ୍ୟାବିନେଟ୍ ମନ୍ତ୍ରୀ ଆତିଶୀ । ବଡ କଥା ହେଉଛି ଦିଲ୍ଲୀ ଅନ୍ୟ ରାଜ୍ୟରୁ ବିଜୁଳି କିଣି ଲୋକଙ୍କୁ ଯୋଗାଉଛି । ସେହିପରି ତେଲେଙ୍କାନାର କଂଗ୍ରେସ ସରକାର ଗୃହ ଜ୍ୟୋତି ଯୋଜନାରେ ମାଗଣା ୨୦୦ ୟୁନିଟ୍ ବିଜୁଳି ଯୋଗାଉଛି ।