ଅକ୍ଷି ତୃତୀୟାରେ ନାମାଙ୍କନ ଭରିଲେ ବଡ଼ ନେତା । ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କଲେ ନିରଞ୍ଜନ ପଟ୍ଟନାୟକ, ଅତନୁ ସବ୍ୟସାଚୀ, ବୈଜୟନ୍ତ ପଣ୍ଡା ଓ ମନମୋହନ ସାମଲ

67

କନକବ୍ୟୁରୋ: ଆଜି ପବିତ୍ର ଦିନରେ ବଡ଼ ବଡ଼ ନେତା ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ବିରାଟ ରୋଡ ସୋ’ କରିଛନ୍ତି ପ୍ରାର୍ଥୀ । ଭଣ୍ଡାରିପୋଖରୀରେ ବିଶାଳ ରୋଡ ସୋ’ କରି ନାମାଙ୍କନ ଭରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ । ସେହିପରି କେନ୍ଦ୍ରାପଡାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦ୍ରାପଡା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି । ନିର୍ବାଚନ ପ୍ରଚାରର ସରଗରମ ଭିତରେ ଅକ୍ଷୟ ତୃତୀୟା ଭଳି ଏକ କୃଷି ଭିତିକ ପର୍ବକୁ ହାତ ଛଡା କରିନାହାନ୍ତି ନେତା । କୃଷକଙ୍କ ନିକଟତର ବୋଲି ବାର୍ତା ଦେବାକୁ ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି ।

ନିର୍ବାଚନ ମାହୋଲ ଅଛି, ଆଉ ନେତାଙ୍କୁ ଅକ୍ଷୟ ତୃତୀୟ ଏକ ସୁଯୋଗ ଆଣି ଦେଇଛି । ଭୋଟରଙ୍କ ନିକଟକୁ ଯାଉଥିବା ନେତା, ଚାଷୀଙ୍କ ମନ ଜିଣିବାକୁ କ୍ଷେତମୁହାଁ ହୋଇଛନ୍ତି । କ୍ଷେତରେ ଧୋତିକୁର୍ତା ପିନ୍ଧି ନେତା । ପାରମ୍ପରକି ପୋଷାକରେ ହୀରାକୁଦର ସାପ ଲହରା ଗାଁରେ ଭୂମି ପୂଜନ ପରେ ଅଖିମୁଠି ଅନୁକୂଳ କରିଛନ୍ତି ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବା ପାଇଁ ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ରେଙ୍ଗାଲିରେ ଧାନବୁଣି ଜମିଲେ ହଳ ବୁଲାଇଛନ୍ତି ।

ସେପଟେ ବିଜେଡି ନେତା ଭିକେ ପାଣ୍ଡିଆନ ବ୍ରଜରାଜନଗରରେ ଭୂମୀ ପୂଜା କରିବା ସହିତ ମୁଣ୍ଡରେ ପଗଡି ବାନ୍ଧି ଧାନ ବୁଣିଛନ୍ତି । ବିଜୁ କୃଷକ ଜନତା ଦଳ ପକ୍ଷରୁ ଆଠଗଡ ବ୍ଳକ ଖୁଂଟକଟା ଗାଁରେ ଅଖିମୁଠି ଅନୁକୁଳ କରିଛନ୍ତି କୃୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଟକର କୁଜିବର ଗାଁରେ ଧାନବୁଣି କଟକ ସାଂସଦ ପ୍ରାର୍ଥା ସଂତୃପ୍ତ ମିଶ୍ରପ ଚାଷର ଶୁଭାରମ୍ଭ କରିଛନ୍ତି । ବୀରମିତ୍ରପୁର କୁଆଁରମୁଣ୍ଡା ଗାଁରେ ଅକ୍ଷୟ ତୃତୀୟରେ ପୂଜାର୍ଚ୍ଚନା କରି ହଳ କରିଛନ୍ତି ସୁନ୍ଦରଗଡ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ।

ଭୁବନେଶ୍ୱର ନିକଟ ଇଂଜଣା ଠାରେ ଅଖିମୁଠି ଉତ୍ସବରେ ସାମିଲ ହୋଇଥିଲେ ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ । ଅକ୍ଷୟ ତୃତୀୟାରେ ଖୋର୍ଦ୍ଧା କଂଟିଲୋରୁ ଆସିଛି ନିଆରା ଦୃଶ୍ୟ । ଏକଦା ପରସ୍ପର ବିରୋଧୀ ଥିବା ବରିଷ୍ଠ ନେତା ସୁର ରାଉତରାୟ ବିହନ ବୁଣୁଥିବା ବେଳେ ସେହି ଏକା ଜମିରେ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ହଳ କରୁଥିବା ଦେଖିବାକୁ ମିଳିଛି । ନିର୍ବାଚନ ସରଗରମ ଭିତରେ ଓଡିଆଙ୍କ କୃଷି ଭିତିକ ପର୍ବ ଅକ୍ଷୟ ତୃତୀୟା ପାଳନ କରିଛନ୍ତି ନେତା । ରାଜ୍ୟରେ ଚାଷୀଙ୍କ ବଡ ଭୋଟ ବ୍ୟାଙ୍କ ରହିଛି, ଆଉ ଏହାକୁ ହାତ ଛଡା କରିବାକୁ ଚାହିଁ ନାହାନ୍ତି ନେତାମାନେ ।