ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଆହ୍ୱାନ । ଜୁନ ୯ରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନନେଲେ ସେ ନେଇଯିବେ ରାଜନୀତିରୁ ସନ୍ନ୍ୟାସ ।

69

କନକବ୍ୟୁରୋ: ରାଜ୍ୟ ସାରା ବୁଲି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର ଟାର୍ଗେଟ କରୁଛନ୍ତି ପାଣ୍ଡିଆନ । ଆଜି ଝାରସୁଗୁଡ଼ାର ବ୍ରଜରାଜନଗରରେ ଧର୍ମେନ୍ଦ୍ରଙ୍କୁ ଦେଇଛନ୍ତି ଖୋଲା ଚ୍ୟାଲେଂଜ । ପାଣ୍ଡିଆନ ଚାଲେଂଜ କରିଛନ୍ତି, ବିଜେପି ରାଜ୍ୟରେ ସରକାର ଗଢ଼ିନପାରିଲେ ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କରିବେ କି ଧର୍ମେନ୍ଦ୍ର । ବିଜେଡି ସରକାର ଗଢ଼ିନପାରିଲେ ସେ ରାଜନୀତିରୁ ସନ୍ୟାସ ନେଇଯିବେ ବୋଲି କହିଛନ୍ତି ।

ନିର୍ବାଚନ ଆରମ୍ଭ ହୋଇନି, ଭୋଟର ଭୋଟ ଦେଇ ନାହାନ୍ତି କିନ୍ତୁ କିଏ ସରକାର ଗଢ଼ିବ? କେବେ ଶପଥ ନେବେ? ସେ ନେଇ ରାଜନୈତିକ ଦଳମାନଙ୍କ ଭିତରେ ବୟାନବାଜି ଜୋରଦାର ହୋଇଛି । ଖୋଦ ପ୍ରଧାନମନ୍ତ୍ରୀ ଓଡିଶାରେ ବିଜେପି ସରକାର ଗଢ଼ିବ ଓ ଜୁନ ୧୦ରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ଘୋଷଣା କରିବା ପରେ, ବୟାନବାଜି ଜୋରଦାର ହୋଇଛି । ଏତିକିବେଳେ ପୁଣି ଥରେ ନିର୍ବାଚନୀ ସଭାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ନେତା ଭି.କେ. ପାଣ୍ଡିଆନ ।

ବିଜେଡି ନ ଜିତିଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି । ତେବେ ବିଜେପି ଓଡିଶାରେ କ୍ଷମତାକୁ ନଆସିଲେ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିବେ କି? ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଝାରସୁଗୁଡା ବ୍ରଜରାଜନଗରରେ ପ୍ରଚାରବେଳେ ଧର୍ମେନ୍ଦ୍ରଙ୍କୁ ଏହି ଚ୍ୟାଲେଞ୍ଜ କରିଛନ୍ତି ପାଣ୍ଡିଆନ । ଗତ ୬ତାରିଖରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ପ୍ରଚାର ସଭାରୁ ଓଡିଶାରେ ବିଜେପି ସରକାର ଗଢ଼ିବ ବୋଲି ଘୋଷଣା କରିଥିଲେ ।

ଜୁନ ୧୦ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦାବି କରିଥିଲେ । ପ୍ରଧାନମନ୍ତ୍ରୀ କହିବାର ମାତ୍ର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବା ସ୍ୱପ୍ନ କହି କଟାକ୍ଷ କରିଥିଲେ । ଆଉ ପାଦେ ଆଗକୁ ଯାଇ ଜୁନ୍ ୯ରେ ନବୀନ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦାବି କରିଥିଲେ ସେବେଠାରୁ ସରକାର କିଏ ଗଢ଼ିବ ଓ ଶପଥ ଗ୍ରହଣକୁ ନେଇ ଜାରି ରହିଛି ବୟାନବାଜି । ଭୋଟ ପୂର୍ବରୁ ଦୁଇ ଦଳ ନେତାଙ୍କ ଏଭଳି ଦାବି, ରାଜ୍ୟ ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି । ତେବେ ଓଡିଶାର ଭୋଟର କାହାକୁ ଭରସା କରୁଛନ୍ତି ତାହା ଜୁନ୍ ୪ରେ ସ୍ପଷ୍ଟ ହେବ ।